Unknown

 

 

 

 

 

 

 

 

 

ଦୈତ୍ୟର ଦାର୍ଢ଼୍ୟତା

ଉମେଶ ଚନ୍ଦ୍ର ଜେନା

 

 

ପ୍ରାକ୍ କଥନ

 

ଯାହା କଥା ଆକାରରେ ଅଥବା ଲିଖିତ ଆକାରରେ ପ୍ରକାଶିତ ହୁଏ ତାହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ । ଯାହା ହୃଦୟଙ୍ଗମ କରିହୁଏ, ତାହାହିଁ ସମ୍ପୂର୍ଣ୍ଣ ସତ୍ୟ ଅଟେ । ଆତ୍ମଚିନ୍ତନ ତଥା ହୃଦୟର ପୁଲକ ଦ୍ଵାରା ଯାହା ଜାଣିହୁଏ, ତାହା ବାକ୍ୟରେ ପ୍ରକାଶିତ ହୋଇପାରେନା । ବାକ୍ୟରେ ଯାହାବା ପ୍ରକାଶିତ ହୋଇଥାଏ ତାହା ଲେଖନୀରେ ସମ୍ପୂର୍ଣ୍ଣ ଭାବେ ପରିସ୍ଫୁଟିତ ହୋଇପାରେନା ।

 

ସମସ୍ତ ଦୃଶ୍ୟ ପଛରେ ଅଦୃଶ୍ୟ ଅନେକ କିଛି ରହିଥାଏ । ମଞ୍ଚସ୍ଥ ନାଟକର ଦୃଶ୍ୟାବଳୀର ପ୍ରଚ୍ଛଦରେ ଅନେକ କିଛି ସଂଘଟିତ ହୁଏ ଯାହା ପ୍ରକାଶ ପାଏ ନାହିଁ । ମାତ୍ର ପ୍ରଚ୍ଛଦର ପ୍ରତ୍ୟେକ ଘଟଣା ସତ୍ୟର ଅଂଶ ଅଟେ ।

 

ବାଲ୍ମିକୀ ରାମାୟଣରେ ଯାହା ବର୍ଣ୍ଣିତ ତାହା ସଂପୂର୍ଣ୍ଣ ସତ୍ୟ ପରିହିତ । ପ୍ରତ୍ୟେକ ଘଟଣା ପଛରେ ଅନେକ ଅପ୍ରକାଶିତ ସତ୍ୟ ଏବେ ବି ଜନମାନସର ଧାରଣା ବାହାରେ । ଠିକ୍ ଏହିଭଳି ଏକ ସତ୍ୟ, ଯାହା ପିଲାବେଳେ ଯେଉଁ ଏକ ଦାଶକାଠିଆ ମଣ୍ଡପରେ ଶୁଣିଥିଲି ତାହା ଆଜି କାବ୍ୟ ମାଧ୍ୟମରେ ଜନ ସମୂହ ସମ୍ମୁଖରେ ପ୍ରସ୍ତୁତ କରି ପେଶ କରିବାର ଧୃଷ୍ଟତା କରିଛି । ମହାଜ୍ଞାନୀ ଓ ବିଜ୍ଞାନୀ, ବ୍ରାହ୍ମଣ ଶ୍ରେଷ୍ଠ ରାବଣ ମାତୃହରଣ ଭଳି ଏତେ ବଡ଼ ଭୁଲ କଲା କିପରି ? ଯେ ତ୍ରିକାଳଦର୍ଶୀ ସେ ନିଜର ମୃତ୍ୟୁ ରହସ୍ୟ ଭେଦ କରି ପାରିଲିନି କିପରି ?

 

ଆସନ୍ତୁ ଆପଣଙ୍କ ହାତରେ ଥିବା ଦୈତ୍ୟର ଦାର୍ଢ଼୍ୟତା’ କାବ୍ୟଟିକୁ ଅନୁଧ୍ୟାନ କରନ୍ତୁ । ରସପାନ କରି ସ୍ନାଦ ପରଖନ୍ତୁ । ଓଡ଼ିଆ ପାରମ୍ପରିକ ସାହିତ୍ୟ ସମ୍ଭାରରେ ବଞ୍ଚାଇ ରଖିବାରେ ନିଜର ଯୋଗଦାନ କରନ୍ତୁ ।

 

 

ଲେଖକ

ଡ. ଉମେଶଚନ୍ଦ୍ର ଜେନା

***

 

ରାମ ଚେତନାର ଅନୁପ୍ରେରଣାରେ ଆଉ ଏକ ପାହୁଣ୍ଡ...

 

ରାମାୟଣ ଏକ ଜାତୀୟ ମହାକାବ୍ୟ । ରାମାୟଣର ଆଦର୍ଶ, କର୍ତ୍ତବ୍ୟ, ଜୀବନଧାରା ଭାରତୀୟ ଜନଜୀବନକୁ ଗଭୀରଭାବେ ପ୍ରଭାବିତ କରିଛି । ବାଲ୍ମିକୀଙ୍କର ସଂସ୍କୃତ ମହାକାବ୍ୟ ରାମାୟଣରେ ରାମଚନ୍ଦ୍ର ମର୍ଯ୍ୟାଦାପୁରୁଷୋତ୍ତମ ଆଦର୍ଶପିତା, ଆଦର୍ଶପୁତ୍ର, ଆଦର୍ଶ ସ୍ୱାମୀ, ଆଦର୍ଶ ଭ୍ରାତା, ଆଦର୍ଶ ରାଜାର ଭୂମିକା ଗ୍ରହଣ କରିଛନ୍ତି । କୁଳର ମର୍ଯ୍ୟାଦା ରକ୍ଷା କରିବା ପାଇଁ ପ୍ରଭୁ ରାମଚନ୍ଦ୍ର ସମଗ୍ରଜୀବନକୁ ଉତ୍ସର୍ଗୀକୃତ କରିଛନ୍ତି । ରାମଚନ୍ଦ୍ରଙ୍କ ଆଦର୍ଶ ଲକ୍ଷ୍ମଣଙ୍କ ନିଷ୍ଠା ଭରତଙ୍କ ଆନୁଗତ୍ୟ କୁଳର ମର୍ଯ୍ୟାଦା ବଢ଼ାଇଛି । ବାସ୍ତବରେ ରାମାୟଣର କାହାଣୀ ଓ ରାମ ରାବଣର ଯୁଦ୍ଧ ଏକ ଐତିହାସିକ ଘଟଣା । ଦ୍ରାବିଡ଼ ଓ ଆର୍ଯ୍ୟମାନଙ୍କର ସଂଘର୍ଷର କାହାଣୀ ଏଥିରେ ବର୍ଣ୍ଣିତ ହୋଇଛି । ରାମାୟଣର ପ୍ରଭୁ ରାମଚନ୍ଦ୍ର ଆର୍ଯ୍ୟସମାଜର ପ୍ରତିନିଧିତ୍ୱ କଲାବେଳେ ରାବଣ ଦ୍ରାବିଡ଼ ସମାଜର ପ୍ରତିନିଧତ୍ୱ କରିଛି । ଦ୍ରାବିଡ଼ମାନଙ୍କ ଉପରେ ଆର୍ଯ୍ୟମାନଙ୍କର ଅସ୍ଥିତ୍ୱ ବିଚାରରେ ରାମାୟଣ କରାଯାଇଛି । ତେଣୁ ସନ୍ଥ ତୁଳସୀଦାସ ଲେଖିଛନ୍ତି-

 

‘‘ରଘୁକୁଳ ସଦା ରୀତି ଚଲିଆଇ

ପ୍ରାନ୍‍ଯାୟୀ ପର ବଚନେ ନ ଯାଇ ।’’

 

ବାଲ୍ମିକୀଙ୍କ ପରେ ରାମାୟଣର କଥାବସ୍ତୁକୁ ନେଇ ଭବଭୂତି ଉତ୍ତର ରାମଚରିତ ମାନସ ରଚନା କରିଛନ୍ତି । ସନ୍ଥ ତୁଳସୀ ଦାସ ‘ତୁଳସୀ ରାମାୟଣ’ ରଚନା କରିଛନ୍ତି । ରାମାୟଣର ଲୋକପ୍ରିୟତା ସମଗ୍ର ଭାରତରେ ଆଞ୍ଚଳିକ ଭାଷାଗୁଡ଼ିକୁ ପ୍ରଭାବିତ କରିଛି । ତେଲୁଗୁରେ ‘କମ୍ବନ ରାମାୟଣ’ ବଂଗଳାରେ ‘କୃତିବାସ ରାମାୟଣ ଆଦି ରଚିତ ହୋଇଛି । ଓଡ଼ିଆ ସାହିତ୍ୟରେ ଶୂଦ୍ରମୁନି ଶାରଳା ଦାସଙ୍କ ବିଲଙ୍କା ରାମାୟଣ, ବଳରାମ ଦାସଙ୍କ ଦାଣ୍ଡି ରାମାୟଣ ବା ଜଗମୋହନ ରାମାୟଣ, କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ‘ବୈଦେହିଶ ବିଳାସ’, ବିଶ୍ଵନାଥ ଖୁଣ୍ଟିଆଙ୍କ ବିଚିତ୍ର ରାମାୟଣ ଆଦି ରଚିତ ହୋଇଛି । ଏହାଛଡ଼ା ଲୋକସାହିତ୍ୟରେ ରାମଲୀଳା, ଭରତରୀଳା, ଅଯୋଦ୍ଧାକାଣ୍ଡ ଆଦି ଲୋକପ୍ରିୟତା ଅର୍ଜନ କରିଛି । ଏସବୁ ଦୃଷ୍ଟିରୁ ସାଂପ୍ରତିକ କାଳର ଆଧୁନିକ କବି ମଧ୍ୟ ରାମାୟଣର ଆଦର୍ଶରେ ପ୍ରଭାବିତ ହୋଇ ସ୍ଵରଚନାରେ ତାକୁ ରଦ୍ଧିମନ୍ତ କରିବାରେ ପ୍ରୟାସ କରିଛନ୍ତି । ‘ଦୈତ୍ୟର ଦାର୍ଢ଼୍ୟତା’ ପୁସ୍ତକର କବି ଉମେଶ ଚନ୍ଦ୍ର ଜେନା ସେହି ଉଚ୍ଚ ଆଦର୍ଶକୁ ଗ୍ରହଣ କରି ପ୍ରାଚୀନ ରାଗରାଗିଣୀ ଆଧାରରେ ଓ ରୀତିଯୁଗର ଶୈଳୀରେ ରଚନା କରିଛନ୍ତି । କାବ୍ୟଟି ରାଗ-ବଂଗଳାଶ୍ରୀ, ଚୋଖି, ଚିନ୍ତାବୈରଭ, ରାମକେରୀ, କଳଂହସ କେଦାର, କାମୋଦୀ ଓ କୈଶିକ ରାଗରେ ଲିଖିତ । କବି ପ୍ରଥମେ ମହାବିନାୟକ, ବିଘ୍ନନାଶକ ଶ୍ରୀ ଗଣେଷଙ୍କ ଓ ବିଶ୍ୱନିୟନ୍ତା ଶ୍ରୀ ଜଗନ୍ନାଥଙ୍କୁ ସ୍ମରଣ କରି ତାଙ୍କ ରଚନା ଆରମ୍ଭ କରିଛନ୍ତି । ତା’ପରେ ପ୍ରଭୁ ଶଦାଶିବ, ମାତା ଦୁର୍ଗାଦେବୀ, ସୂର୍ଯ୍ୟଦେବତା, ଚନ୍ଦ୍ରଦେବତା ଓ ବୀଣାପାଣିଙ୍କ ବନ୍ଦନା ଗାନ କରିଛନ୍ତି-। କବିଙ୍କ ଭାଷାରେହେ ପ୍ରଭୁ ଭାସ୍କର ତମନାଶକର,

 

ନାଶି ଦିଅ ତନ୍ଦ୍ରା ହୃଦେ ଦୃଢ଼ ଇଚ୍ଛା

ମସ୍ତକେ ଧୀଶକ୍ତି ଭରି ।

ବୀଣାପାଣି ମାତ ଘେନ ପ୍ରଣିପାତ

ଦିଅ ଗୋ ଲେଖନୀ ଚାଳି,

ବର୍ଣ୍ଣିବି ଆଖ୍ୟାନ ଅତି ପୁରାତନ ।

ବୈଷ୍ଣବ ଭକ୍ତିରେ ଭଳି ।।

 

ତ୍ରେତୟା ଯୁଗର ଏହି ରାମ ଅବତାର କାହାଣୀକୁ ଲେଖକ ନିଜର ଭାଷା ଓ ବର୍ଣ୍ଣନା ଚାତୁରୀରେ ପ୍ରକାଶ କରିବାର ପ୍ରୟାସ କରିଛନ୍ତି । ତେବେ ଘଟଣା ପ୍ରବାହ ସହିତ ଠାଏ ଠାଏ ନିଜ ସୃଜନଶୀଳତାର ପରିଚୟ ମଧ୍ୟ ଦେଇଛନ୍ତି ।

 

ଦିନ ଶେଷେ ରବି

 

 

ହେଲେ ଅସ୍ତଗାମୀ ।

ସୁବଳୟା ଉହାଡ଼ରେ ।

ପଥଶ୍ରାନ୍ତ କ୍ଲାନ୍ତ

 

 

ବିହଂଗ ସମୂହ

ଆଶ୍ର ନେଲେ ସ୍ୱ ନୀଡ଼ରେ ।

 

ଭାନୁ ଦୃତ ଶୁଦ୍ଧ

 

 

ଶୁଭ୍ର ଆଲୋକର

ରଙ୍ଗ ଧୀରେ ବଦଳିଲା ।

ଆରକ୍ତୁ ଆରକ୍ତ

 

 

ହେଉ ହେଉ ବେଗେ

କଳାରେ ପାଲଟି ଗଲା ।୨୩।

 

କାଳିମା ଅନ୍ଧାର

 

 

କ୍ରମେ ହେଲା ବ୍ୟାପ୍ତ

ଚରାଚର ମେଦିନୀରେ ।

ଏହିତ ବିଚିତ୍ର

 

 

ସର୍ବ ରଙ୍ଗାବୃତ

ଧଳା ଲୁଚଇ କଳାରେ । ୨୪ ।

 

 

 

ଓଡ଼ିଆ ରାମ ସାହିତ୍ୟରେ ‘ଦୈତ୍ୟର ଦାର୍ଢ଼୍ୟତା’ ଏକ ନୂତନ ସଂଯୋଜନ । ଏହା ରାମପ୍ରେମୀ ପାଠକ ପାଠିକାଙ୍କୁ ଆନନ୍ଦ ଓ ଅବବୋଧ ଦେବ, ଏଥିରେ ଦ୍ୟୁରିକ୍ତି ନାହିଁ । ଏହା ପାଠକୀୟ ପ୍ରେରଣା ଗ୍ରହଣ କରୁ ଏତିକି ମୋର କାମନା ।

 

 

ଡଃ ହୃଷୀକେଶ ପଣ୍ଡା, ପୂର୍ବତନ କେନ୍ଦ୍ର ନିର୍ଦ୍ଦେଶକ

ଆକାଶବାଣୀ, କଟକ, ମୋ-୯୪୩୭୦୬୨୫୨୩

***

 

Image

 

ପ୍ରଥମ ଛାନ୍ଦ

ରାଗ- ବଙ୍ଗଳାଶ୍ରୀ

 

ନମଃ ଗଣନାଥ

 

 

ବିଘ୍ନ ବିନାଶକ

ଅର୍ପିଲି ସ୍ୱମତି ତୋ ପୟରେ ।

ନମଃ ଜଗନ୍ନାଥ

 

 

ଜଗତ କାରକ

ଥାପିଲି ତୋ ମୂର୍ତ୍ତି ମୋ ଅନ୍ତରେ । ୧ ।

ଆହେ ଆଶୁତୋଷ

 

 

ବେଗେ ହୁଅ ତୋଷ

ହୃଦେ ମୋ ବିରାଜ ହୁଅ ।

ମାତା ଭୁଜାଦଶ

 

 

ନିବାରି ମୋ ଦୋଷ

ହୃଦେ ମୋ ଶକତି ଦିଅ । ୨ ।

ହେ ପ୍ରଭୁ ଭାସ୍କର

 

 

ତମ ନାଶ କର

ମତି ଆଲୋକିତ କର ।

ନାଶି ଦିଅ ତନ୍ଦ୍ରା

 

 

ହୃଦେ ଦୃଢ଼ ଇଚ୍ଛା

ମସ୍ତକେ ଧୀଶକ୍ତି ଭରି ।୩।

ବୀଣାପାଣି ମାତ

 

 

ଘେନ ପ୍ରଣିପାତ

ଦିଅ ଗୋ ଲେଖନୀ ଚାଳି,

ବର୍ଣ୍ଣିବି ଆଖ୍ୟାନ

 

 

ଅତି ପୁରାତନ

ବୈଷ୍ଣବ ଭକ୍ତିରେ ଭଳି ।୪।

ତ୍ରେତୟା ଯୁଗରେ

 

 

ରାମ ଅବତାରେ

ପିତୃସତ୍ୟ ରକ୍ଷା ପାଇଁ ।

ହେଉଣୁ ନୃପତି

 

 

ହେଲେ ବନଗାମୀ

ସଙ୍ଗେ ଘେନି ପତ୍ନୀ, ଭାଇ ।୫।

ମନ୍ଥରା ବୁଦ୍ଧିରେ

 

 

ମାତା କୈକେୟୀର

ଛଳେ ଭୋଳେ ଦଶରଥ ।

ବର ପ୍ରଦାନିଲେ

 

 

ଆପଦ ସମୟେ ଯେଣୁ

ଚାଳିଥିଲେ ରଥ ।୬।

ଆଜ୍ଞା ଦେଲେ ବାରେ

 

 

ଅଗ୍ରଜ ସନ୍ତାନେ ।

ଯାଅ ଚାଲି ରାଜ୍ୟ ଛାଡ଼ି ।

ଚଉଦ ବରଷ

 

 

ନ ପୂରିବା ଯାଏ

ସୀମା ନ ପାରିବ ମାଡ଼ି । ୭ ।

ପିତାଦେଶ ପାଳି

 

 

ଶ୍ରୀରଘୁ ନନ୍ଦନ

ହୋଇଲେକ ବନପଥୀ ।

ସୁମିତ୍ରା ନନ୍ଦନ

 

 

ହେଲେ ଆଗଭର

ଆବର ଭୂ-ସୁତା ସତୀ । ୮।

କିଛି କାଳ ସୁଖେ

 

 

ବିଚରଣ କଲେ

ଘୋର ଅରଣ୍ୟ ମଧ୍ୟରେ ।

ଫଳ ମୂଳ ଖାଇ

 

 

କୁଟିରରେ ଶୋଇ

ଶୀତେତାପେ ଦିବାରାତ୍ର ।୯।

ଏମନ୍ତ କିଂଚିତ

 

 

କାଳ ଉପରାନ୍ତେ

ଏକାନ୍ତେ ଶ୍ରୀରାମ ଦିନେ ।

ହାଲୁକା ମନରେ

 

 

ବିଚରୁ ଥିଲେ ସେ

ବନ ମଧ୍ୟ ଉପବନେ ।୧୦।

ରାକ୍ଷସୀ ନିକଷା

 

 

ସୂତା ସୃପଣଖା

ଦେଖିଲା ରାମେ ଅୟନେ ।

ଜଟାଧାରୀ ବୀର

 

 

ହସ୍ତେ ଧନୁଶର

ମୁଖେ ଆଭା ପ୍ରସ୍ଫୁଟିତ । ୧୧ ।

ଅପରୂପ ପୁଂସ

 

 

ଲାବଣ୍ୟମୟ ସେ

ଭୁଜ ଆଜାନୁ ଲମ୍ବୀତ ।୧୧।

ବିସ୍ତାରିତ ହିଆ

 

 

ଶକ୍ତ ବାହୁଯୁଗ

ସିଂହ କଟୀ ବୀର୍ଯ୍ୟବନ୍ତ ।

ଦେଖି ସୃପଣଖା

 

 

ବର ପୁଂସ ରୂପ

କାମେ ହେଲା ଜର୍ଜରିତ ।୧୨।

ତ୍ୟାଗୀ ଦୈତ୍ୟାରୂପ

 

 

ହୋଇ ଅପରୂପା

ମାନବୀ ରୂପ ଧରିଲା ।

ଅମ୍ବରୁ ଓହ୍ଲାଇ

 

 

ସମ୍ମୁଖେ ମିଳଇ

ପୀରତି ଯାଚନା କଲା ।୧୩।

ରଘୁବର ରାମ

 

 

କହେ ନାରୀବର

ମୁଁ ଯେ ବିବାହିତ ନର ।

ପତ୍ନୀ ବ୍ୟତିରେକେ

 

 

ଅନ୍ୟ ନାରୀ ସଙ୍ଗେ

ଅନୁଚିତ ବ୍ୟବହାର ।୧୪।

ଏଣୁ ବାଳାମଣି

 

 

ଯାଅ ବେଗେ ଚଳି

ଅନୁଜ ଲକ୍ଷ୍ମଣ ପାଶ ।

ତୁମ ନାକ, କାନ

 

 

କରୁ ବିବର୍ତନ

ଏହା ମୋହର ଆଦେଶ ।୧୫।

ଭ୍ରାତାଙ୍କ ଆଦେଶ

 

 

ପାଳିଣ ସୌମିତ୍ରୀ

ଦେଲା ନାକ, କାନ କାଟି ।

ଭୟେ ସୃପଣଖା

 

 

ସେ ରାକ୍ଷସୀ ବାଳା

ବନପ୍ରାନ୍ତ ଗଲା ଛାଡ଼ି ।୧୬।

କଟା ନାକ କାନ

 

 

ଦେଖାଇ ରାକ୍ଷସୀ

ନେହୁରା ହୁଏ ଭାଇରେ ।

ପ୍ରତିଶୋଧ ନିଆ

 

 

ଭଗ୍ନୀ ଅପମାନ

ଶୀଘ୍ର ହର ତା ପ୍ରିୟାରେ । ୧୭ ।

ସତ୍ୟପଥୀ ବୀର

 

 

ହେଲେ ହରବର

ପଡ଼ି ରାବଣ ମାୟାରେ ।

ମାୟା ମୃଗ ପଛେ

 

 

ଧାଇଁ ସୀତାପତି

ଜାନକୀଙ୍କୁ ହରାଏରେ ।୧୮।

ଦୟୀତା ହରାଇ

 

 

ରାମ ଚନ୍ଦ୍ର ବାଇ

ହୋଇ ସୀତାଙ୍କୁ ଖୋଜିଲେ ।

ଖୋଜି ଖୋଜି ଶେଷେ

 

 

ବଜରଙ୍ଗୀ ଯୋଗେ

ଅଶୋକ ବନେ ପାଇଲେ ।୧୯।

ଆଣିବାକୁ ସତୀ

 

 

ସୀତା ପତି କତି

ରାବଣକୁ ଝିଙ୍ଗାସିଲେ ।

ଲଙ୍କେଶ ରାବଣ

 

 

ଆକୁଟୁମ୍ବ ପଣ

କରି ଆଜି ଭିଆଇଲେ ।୨୦।

କେତେ କାଳ ଯୁଦ୍ଧ

 

 

କରୁଣୁ ରାଘବ

ମାରିଲେ କେତେ ଯେ ଦୈତ୍ୟ ।

ପ୍ରତ୍ୟକ୍ଷ ଯୁଦ୍ଧ ସେ

 

 

କରନ୍ତି ଯାବତ

ଖରେ ଥାଆନ୍ତି ଆଦିତ୍ୟ ।୨୧।

ଦିନ ଶେଷେ ରବି

 

 

ହେଲେ ଅସ୍ତଗାମୀ

ସୁବଳୟା ଉହାଡ଼ରେ ।

ପଥପ୍ରାନ୍ତ କ୍ଲାନ୍ତ

 

 

ବିହଙ୍ଗ ସମୂହ

ଆଶ୍ରା ନେଲେ ସ୍ୱନୀଡ଼ରେ । ୨୨ ।

ଭାନୁ ଦୃତ ଶୁଦ୍ଧ

 

 

ଶୁଭ୍ର ଆଲୋକର

ରଙ୍ଗ ଧୀରେ ବଦଳିଲା ।

ଆରକ୍ତୁ ଆରକ୍ତ

 

 

ହେଉ ହେଉ ବେଗେ

କଳାରେ ପାଲଟି ଗଲା ।୨୩।

କାଳିମା ଅନ୍ଧାର

 

 

କ୍ରମେ ହେଲା ବ୍ୟାପ୍ତ

ଚରାଚର ମେଦିନୀରେ ।

ଏହିତ ବିଚିତ୍ର

 

 

ସର୍ବ ରଙ୍ଗାବୃତ

ଧଳା ଲୁଚଇ କଳାରେ ।୨୪।

ନିଶାରାଣୀ ଦେଖି

 

 

ସବୁରେ ନିରେଖ୍

ଭୟାର୍ତ୍ତ ବ୍ୟାକୁଳ ହୋଇ ।

ରବିରେ ନ ଦେଖି

 

 

ଲଭିଣ ଆଶ୍ୱସ୍ତି

ନିଜରୂପ ପ୍ରକାଶଇ ।୨୫।

ଅନ୍ଧାରକୁ ଦେଖି

 

 

ଚକ୍ରବାକ ପକ୍ଷୀ

ଭୟରେ ପ୍ରିୟାକୁ ଛାଡ଼ି ।

ଯାଇ ରହି ଦୂରେ

 

 

ବିଚ୍ଛେଦ ଦୁଃଖରେ

ଉଚ୍ଚସ୍ୱରେ ଛାଡ଼େ ରଡ଼ି ।୨୬।

ଯୁଦ୍ଧ ଶ୍ରାନ୍ତ ବୀର

 

 

ପ୍ରଭୁ ରାମଚନ୍ଦ୍ର

ଏକାଳେ କୁଟିରେ ଆସି ।

ପଦ ପ୍ରକ୍ଷାଳନ୍ତେ

 

 

ଏ ସ୍ୱର ଶୁଣିଲେ

ହୃଦରେ କାଟିଲା ଅସି । ୨୭ ।

ଭାଷେ ବୀର ବର

 

 

ଆହେ ପକ୍ଷୀବର

ତୋର ମୋର ସମ ଦଶା ।

ପ୍ରାଣ ପ୍ରିୟା ବିନା

 

 

ହୋଇ ଏକାକିନା

କେମିତି କାଟିବା ନିଶା ।୨୮।

ତୁ ସିନା ଭୋଗୁଛୁ

 

 

ଅଭିଶାପ ଫଳ

କି ଫଳ ଭୋଗୁଛି ମୁହିଁ ।

ପିତୃସତ୍ୟ ପାଳି

 

 

ହୋଇ ବନବାସୀ ।

ହରାଇଛି ଚାନ୍ଦମୁହିଁ । ୨୯ ।

ପ୍ରାଣ ପ୍ରିୟା ମୋର

 

 

ହୋଇ ସାଥୀ ମୋର

ରାଜଭୋଗ ତ୍ୟାଗକଲା ।

ସେହି କୋମଳାଙ୍ଗୀ

 

 

ହୋଇ ପତି ସଙ୍ଗୀ

ବନଚାରୀ ହୋଇଥିଲା ।୩୦।

ମୁଁ ଛାର କିଂକର

 

 

ନ ବୁଝି ମାୟାର

ମୃଗ ପଛେ ଗୋଡ଼ାବନ୍ତେ ।

ମାୟାବୀ ରାବଣ

 

 

ହରି ବାମାଙ୍ଗୀ ମୋ

ରଖେ ଉପବନ ପ୍ରାନ୍ତେ ।୩୧।

ଏ ନିଶା ପ୍ରବଳ

 

 

ହରେ ଦେହ ବଳ

ଆସକ୍ତି ଭରେ ହିଆରେ ।

ପ୍ରାଣ ପ୍ରିୟା ଥିଲେ

 

 

ଅବଶ୍ୟ ଫେଡ଼ନ୍ତା

କୋମଳ ଅଙ୍ଗ ସ୍ପର୍ଶରେ ।୩୨।

ଭାବୁଣୁ ଏମନ୍ତ

 

 

ସାଗରୁ ଯେମନ୍ତ

ଭାନୁ ଉଦୟ ହୁଅନ୍ତି ।

ମାନସ ଅମ୍ବରେ

 

 

ସୀତା ଆଗମନେ

ପ୍ରଭୁ ହରଷ ହୁଅନ୍ତି ।୩୩।

ନିମିଷ ଅନ୍ତରେ

 

 

ଆସି ପ୍ରକୃତିରେ

ପ୍ରିୟ ଝୁରଇ ପ୍ରିୟାରେ ।

ଦୁଃଖର ବାଦଲ

 

 

ଛାଇଯାନ୍ତି ଧୀରେ

ରାମ ମନ ଆକାଶରେ ।୩୪।

ଧୀରେ ବରଷନ୍ତେ

 

 

ପଦ୍ମ ଲୋଚନରେ

ରାମ ହ୍ୟନ୍ତି ଆନମନା ।

ସମ୍ଭ୍ରମେ ଶ୍ରୀରାମ

 

 

କାକୁସ୍ଥ ହୋଇଣ

ଲୁଚାନ୍ତି ଲୋତକ ବନ୍ୟା ।୩୫।

ଶ୍ରୀରାମ ଅନୁଜ

 

 

ସୁମିତ୍ରା ନନ୍ଦନ ।

ଏମନ୍ତ ସମୟେ ପୁଣ ।

ଭ୍ରାତାଙ୍କ କୁଶଳ

 

 

ବାର୍ତ୍ତା ଜିଜ୍ଞାସାରେ

ହେଲେ ତତ୍ର ଉପସ୍ଥାନ । ୩୬ ।

ଅଗ୍ରଜ ନୟନ

 

 

ଲୋତକ ଆବୃତ

ଦେଖି ଅନୁଜ ଅଧୀର ।

ଜିଜ୍ଞାସୁ ନୟନେ

 

 

ଚାହିଁ ସହୋଦରେ

କୋମଳେ ପୁଛଇ ଗୀର ।୩୭।

ପ୍ରଭୁକି ହୋଇଲା

 

 

କିମ୍ପାଇ ବୋହିଲା

ନୟନୁ ଆଜି ଲୋତକ ।

କପଟ ନ କରି

 

 

କୁହ ସତ କରି

ଦୁଃଖ ଦେଲା କେଉଁ ଲୋକ ।୩୮।

ଚାହିଁ ଅନୁଜରେ

 

 

କରୁଣ ଦୃଷ୍ଟିରେ

କହନ୍ତି ନାହିଁ ରେ ନାଇଁ ।

ଚକ୍ରବାକ ସ୍ଵର

 

 

ଶୁଣି ଆଜି ମୋର

ସୀତା ମାନସେ ଆସଇ ।୩୯।

ସେ ହତ ଭାଗିନୀ

 

 

ଜନକ ନନ୍ଦିନୀ

କି ଭାଗ୍ୟ ନେଇ ଜନ୍ମିଲା ।

ସାଥୀ ହୋଇ ମୋର

 

 

ଜୀବନ ସାରାସେ

ଦୁଃଖ ହିଁ ଦୁଃଖ ଭୋଗିଲା । ୪୦।

କେଜାଣି କେମିତି

 

 

ଅଛି ସହଚରୀ

ଅଶୋକ ବନ ମଧ୍ୟରେ ।

କେତେ କଷ୍ଟ କରି

 

 

ଭାଗ୍ୟକୁ ଆଦରି

ଦୁଷ୍ଟାତ୍ମାଙ୍କ ଗହଣରେ ।୪୧।

ଆରେ ରେ ଅନୁଜ

 

 

ମୋର ବୋଲକର

ଯାଅ ବାରେ ସେ ଠାବରେ ।

ଦେଖି ଆସ ଛପି

 

 

ହୋଇଣ ବିରୂପୀ

ପ୍ରାଣ ପ୍ରିୟା କିସ କରେ ।୪୨।

ଯୁଦ୍ଧ ହେବା କାଳୁ

 

 

ଦେଖିନି ପ୍ରିୟାରେ

ସନ୍ଦେଶ ବି ପାଇନାହିଁ ।

ପ୍ରିୟା ସମାଚାର

 

 

ଶୁଣିବାକୁ ମୋର

ମନେ ଜିଜ୍ଞାସା ଜାଗଇ ।୪୩।

ଶୁଣିଣ ଏ ଗୀର

 

 

ସେ ଲକ୍ଷ୍ମଣ ବୀର

ଭାବନ୍ତି କରିବି କିସ ।

କେମନ୍ତ ରୂପେଣ

 

 

କରିବି ପାଳନ

ବୀର ଅଗ୍ରଜ ଆଦେଶ ।୪୪ ।

ଅଗ୍ରଜ ନୟନେ

 

 

ଲୋତକ ଶ୍ରବଣେ

ହିଆରେ କୋହ ଉଠଇ ।

ସେ କିବା ଅନୁଜ

 

 

ହୁଅଇ ସହଜ

ଅଗ୍ରଜ ଯେବେ କାନ୍ଦଇ ।୪୫।

ଧକ୍କାରେ ଲକ୍ଷ୍ମଣ

 

 

ନିଜେ ଅକାରଣ

କରିବ କାର୍ଯ୍ୟ କେମିତି ।

କ୍ରମେ କ୍ରମତର

 

 

ନିଶାରାଣୀବର

ଗାଢ଼ୁଁ ଗାଢ଼ତର ହ୍ୟନ୍ତି ।୪୬।

ଅଗ୍ରଜ ବିକଳ

 

 

ଅନୁଜେ ଅସହ୍ୟ

କର୍ତ୍ତବ୍ୟ ତାଡ଼ନା ଶେଷ ।

ଜୀବନ ବିପନ୍ନ

 

 

କରିଣ ଗମନ

କରନ୍ତି କହେ ଉମେଶ ।୪୭।

 

***

 

Image

 

 

 

ଦ୍ୱିତୀୟ ଛାନ୍ଦ

ରାଗ-କାଳୀ

ସୁମତ୍ରା ସୁତ

 

 

କରେ ଗମନ

ହାତରେ ଧନୁ ଧରି ।

ଗନ୍ତବ୍ୟ ସ୍ଥଳ

 

 

ଅଶୋକ ବନ

ସାଗର ସେପାରି । ୧ ।

ଭ୍ରାତା ଜିଜ୍ଞାସା

 

 

ଜାଣିବେ ମାତା

ସୀତାଙ୍କ ଭଲମନ୍ଦ ।

ଅଗ୍ରଜାଦେଶ

 

 

ନୁଆଁଇ ଶିଷ

ପାଳନାର୍ଥେ ଲକ୍ଷ୍ମଣ ।୨।

ହୃଦେ ଆଶଙ୍କା

 

 

ଯାଆନ୍ତି ଏକା

ମନକୁ ଦୃଢ଼କରି ।

କି କଥା ଅବା

 

 

ଲେଖିଛି ବିହି

ଆଗରେ ଶତ୍ରୁପୁରୀ ।୩।

ଗୋପନେ କାହା

 

 

ଗଡ଼େ ପ୍ରବେଶ

ନୁହେଁ ଉଚିତ କାର୍ଯ୍ୟ ।

ଉଦ୍ଦେଶ୍ୟ ଏଥି

 

 

ହେଉ ବା ଯାହା

ଅଟେ ଚୋରଙ୍କ କାର୍ଯ୍ୟ ।୪।

ଏମନ୍ତ କାର୍ଯ୍ୟ

 

 

ସଦା ସମାଜେ

ହୁଅଇ ନିନ୍ଦନୀୟ ।

ସଂସାର ବିଧି

 

 

ଉଚିତ ନୁହଁ

ତେଣୁ ଏ ଦଣ୍ଡନୀୟ । ୫ ।

ଏ ଦିଗେ ନ୍ୟାୟ

 

 

ସମାଜ ବିଧି

ସେ ଦିଗେ ଅଗ୍ରଜାଦେଶ ।

ଆକୁଳ ବନ

 

 

ପ୍ରାନ୍ତରେ ପ୍ରିୟ

ବିଧୁର ଭ୍ରାତାଙ୍କ ବେଶ ।୬।

ଲକ୍ଷ୍ମଣ ହୃଦ

 

 

ହେଲା ଦହନ

ଭ୍ରାତାଙ୍କ ଦୁଃଖ ଅଶେଷ ।

ହେଉଣୁ ରାଜା

 

 

ବନବାସିନୀ

ଧରି ଜଟାଧାରୀ ବେଶ ।୭।

ନିୟତି ଏଥେ

 

 

ହେଲାନି ଶାନ୍ତ

ଦେଲା ବିଧୁର ପୀଡ଼ା ।

ଜନକ ସୁତା

 

 

ରାମ ଦୟୀତା

ହୋଇଲେ ଅପହୃତା ।୮।

ନିଜ ଦୟୀତା

 

 

ହେବ ବନ୍ଦିନୀ

ଶତ୍ରୁ ଶିବିରେଛନ୍ତି ।

ଆଜି ଭିଆଇ

 

 

ପର ନିସୁଧି

ଆଣିବେ କରି ମୁକ୍ତି ।୯।

ମର୍କଟ ସୈନ୍ୟ

 

 

ବାହିନୀ ନେଇ

ଅସୁର ସେନା ସାଥେ ।

କରନ୍ତି ଯୁଦ୍ଧ

 

 

ଶ୍ରୀରାମଚନ୍ଦ୍ର

ଜାନକୀ ମୁକ୍ତି ଅର୍ଥେ ।୧୦।

ଏକାଳେ ରାମ

 

 

ହୋଇ ଆତୁର

ଜାନକୀ କଥା ଭାଳି ।

ଖବର ନେଇ

 

 

ଆସିବା ପାଇଁ

ଅନୁଜରେ ପ୍ରେରନ୍ତି ।୧୧।

ପ୍ରବେଶ କରି

 

 

ରତନ ପୁରୀ

ଆଣିବେ ସମାଚାର ।

ଲଙ୍କେଶ ଗଡ଼

 

 

ଅଭେଦ୍ୟ ବଡ଼

ପ୍ରହରୀ ବି ହଜାର ।୧୨।

ପାଦକୁ ପାଦ

 

 

ହୁଅନ୍ତି ପାଖ

ରତନ କଟକର ।

ମନେ ଉତ୍କଣ୍ଠା

 

 

ହୃଦେ ଆଶଙ୍କା

ମନ ମଧ୍ୟରେ ଡର ।୧୩।

ଉଚ୍ଛନ୍ନ ମନ

 

 

ହେବ ଦର୍ଶନ

ଜନକ ନନ୍ଦିନୀର ।

କେ କାଳୁ ନାହିଁ

 

 

ଦର୍ଶନ ହୋଇ

ପ୍ରିୟ ଭାଉଜଙ୍କର ।୧୪।

ଚାଲନ୍ତି ଧୀରେ

 

 

ଧନୁଷ କରେ

ଶ୍ୱାସ ବହଇ ଖରେ ।

ଦିଶେ ଅଦୂର,

 

 

ରାବଣ ପୁର

ମନେ ଉତ୍କଣ୍ଠା ଭରେ ।୧୫।

ସୁବର୍ଣ୍ଣପୁରୀ,

 

 

ଅଳକା ପୁରୀ

ସମ ଦିଶଇ ରାତ୍ରେ ।

ଚନ୍ଦ୍ରାଲୋକରେ

 

 

ଝଟକୁ ଥାଏ

ସୁବର୍ଣ୍ଣ ଭରା ଗାତ୍ରେ ।୧୬।

ସୌଧାଗ୍ରେ ଶୋଭେ

 

 

ସ୍ୱର୍ଣ୍ଣ କଳସ

ବୋଲଇ ବିତ୍‍ତ ଗାଥା ।

କୋଟିଏ ମୁଦ୍ରା

 

 

ଗୋଟେ କଳସ

ଅଟେ ଏ ଲୋକ କଥା । ୧୭ ।

ଯେ ଜନ ପାଶେ

 

 

ଥାଏ କୋଟିଏ

ସ୍ୱର୍ଣ୍ଣମୁଦ୍ରା ସେ ଦେଶେ ।

ସ୍ଵର୍ଣ୍ଣ କଳସ

 

 

ଗୋଟିଏ ସେତ

ବସାନ୍ତି ସୌଧ ଶୀର୍ଷେ ।୧୮।

ଏ ମତେ ସେହି

 

 

ଶ୍ରୀଲଙ୍କା ଦେଶେ

ସୁବର୍ଣ୍ଣମୟ ସୌଧ ।

ଥାଏ ପଂକ୍ତିରେ

 

 

ପଥ ଦ୍ୱି ପାର୍ଶ୍ୱେ

ଜ୍ଞାତେ ବିତ୍‍ତ ଅଗାଧ । ୧୯ ।

ଗଡ଼େ ଖଚିତ

 

 

ସୂରୁଯ କାନ୍ତ

ଦିଅଇ ଜ୍ୟୋତିପ୍ରଭା ।

ଚନ୍ଦ୍ରକାନ୍ତର

 

 

ଝରା ଅଲୋକ

ବଢ଼ାଏ ନିତ୍ୟ ଶୋଭା । ୨୦ ।

ରହେ ଘଡ଼ିଏ

 

 

ସ୍ଥିରେ ଅନାଏ

ଚାଲଇ ପାଦ ଗଣି ।

କ୍ଷଣକୁ କ୍ଷଣ

 

 

ବଡ଼େ ସ୍ପନ୍ଦନ

ଲଂକେଶ ଗଡ଼ ଜାଣି । ୨୧ ।

ଅସୁର ଗଡ଼

 

 

ଅସୁର ଭିଡ଼

ଅନୁକମ୍ପା ରହିତ ।

ଦୟା ମାୟାର

 

 

ସ୍ଥାନ ନାହିଁ

ନାହିଁ ତ ହିତାହିତ । ୨୨ ।

ଅଶୋକ ବନେ

 

 

ପହଂଚି ମନେ

ସନ୍ତୋଷ ଜାତ ହୁଏ ।

ବିଂଶପା ବୃକ୍ଷ

 

 

ଖୋଜନ୍ତି ଦକ୍ଷ

ସୁମିତ୍ରା ନନ୍ଦନ ଏ ।୨୩।

ପଥ ପ୍ରଶସ୍ଥ

 

 

ରକ୍ଷୀ ପ୍ରଶସ୍ତ

ଚାଲଇ ଦଣ୍ଡ ଧରି ।

ବାଛି ଉହାଡ଼େ

 

 

ଶକୀର୍ଣ୍ଣ ପଥ

ଚାଲଇ ସଉମିତ୍ରୀ ।୨୪।

ଛତୁ ପରାୟ

 

 

ବୃକ୍ଷ ସମୂହ

ନିରବ ରକ୍ଷୀ ସାଜି ।

ସୁମନ ପ୍ରସୁ

 

 

ଦ୍ରୁମ ଲତାରେ

ରକ୍ଷା କରନ୍ତି ଆଜି ।୨୫।

ଚନ୍ଦ୍ରାଲୋକରେ

 

 

ରଜନୀ ଗନ୍ଧା

ହସି ମହକାଉଛି ।

ମଧୁ ମାଳତୀ

 

 

ରଙ୍ଗ ହରାଇ

ଶ୍ଵେତ ବର୍ଣ୍ଣ ଧରିଛି ।୨୬।

ସମୟ ଏକା

 

 

ପରିବେଶ ବି

ମାତ୍ର ଫଳଇ ଭିନ୍ନ ।

କେ ଯଦି ଆଜି

 

 

ହରାଏ ରଙ୍ଗ

ଆଉ କେ ହୁଏ ରଙ୍ଗୀନ ।୨୭।

ନିୟତି ବିଧି

 

 

ହୁଏତ ସିଦ୍ଧି

ସମୟ ଅନୁସାରେ ।

କର୍ମ ଫଳର

 

 

ହୁଏ ସଂଚାର

କର୍ମ ମାନାନୁସାରେ ।୨୮।

ସୁମନ ଗଣ

 

 

ସନ୍ଦେଶ ମାନ

ପବନେ ପଠାଉଛି ।

ମଳୟ ମନ୍ଦ

 

 

ବୋହି ସୁଗନ୍ଧ

କୋଣେ କୋଣେ ବ୍ୟାପିଛି ।୨୯।

ଅଛି କେ ଯଦି

 

 

ପୁଷାନୁରାଗୀ

ଏ ଉପବନ ପ୍ରାନ୍ତେ ।

ତୋଳିଣ କରେ

 

 

ଆଘ୍ରାଣ ଭରେ

ଅବା ଦେବଙ୍କ ପଦେ ।୩୦।

ବୀର ଲକ୍ଷ୍ମଣ

 

 

ଚାଲେ ତତ୍‍କ୍ଷଣ ।

ଆଗ୍ରହ ଭାବ ମନେ ।

ବିଂଶପା ବୃକ୍ଷ

 

 

ପାଶେ ଯାଇଣ ।

ପହଂଚିଲେ ତତ୍‍କ୍ଷଣେ ।୩୧।

ରାମ ଅନୁଜ

 

 

କରନ୍ତି ଲକ୍ଷ

ରହିଣ ଆଢ଼ୁଆଳେ ।

ଜାନକୀ ସତୀ

 

 

କିସ କରନ୍ତି

ଜାଣିବେ କୁତୁହଳେ ।୩୨।

ଦେଖନ୍ତି ବୀର

 

 

ସେ ରାମା ବର

ଦୁଃଖରେ ନତ ଶୀର ।

ଶୂନ୍ୟରେ ସ୍ଥିର

 

 

ନୟନ ତା’ର

ବୋହେ ଲୋତକ ଧାର ।୩୩।

ମୁକୁଳା କେଶ

 

 

କରେ ଭୂସ୍ପର୍ଶ

ଅସ୍ତବ୍ୟସ୍ତ ସୁବେଶ ।

ଦୁଃଖ ବାଦଲ

 

 

ମୁଖ ମଣ୍ଡଳ

ଢାଙ୍କି ହରେ ହରଷ ।୩୪।

ଦୁଃଖ ଜନିତ

 

 

ନେତ୍ରୁ ଲୋତକ

ନିଦ୍ରା ନ ରୋକିପାରି ।

କ୍ଷତ ବିକ୍ଷତ

 

 

ହୋଇ ଦ୍ୱନ୍ଦରେ

ନିଦ୍ରା ଯାଇଛି ଫେରି ।୩୫।

ମନ ଆକାଶେ

 

 

ବାଦଲ ଆସେ

ନେତ୍ରୁ ଲୁହ ବରଷେ ।

ଲୁହର ଧାର

 

 

ନଈ ସାଜିଣ

ବହଇ ଗଣ୍ଡ ଦେଶେ ।୩୬।

ସେ ଲୁହ ନଈ

 

 

ଯାଇଣ ବୋହି

ଅଧର କରେ ସିକ୍ତ ।

ଦେଖି ଲକ୍ଷ୍ମଣ

 

 

ଦୁଃଖ ଲଭିଣ

ନୟନ କଲେ ସିକ୍ତ ।୩୭।

ଏ ବାଳାମଣି

 

 

କି ଅଛି ଲେଖି ।

ଭାଗ୍ୟରେ ବିହି ଆହା

ହଳୁଁ ଜନମ

 

 

ଲଭି ହୋଇଲା

ଜନକର ପାଳିତା ।୩୮।

ଅଯୋଧ୍ୟା ରାଣୀ

 

 

ହେଉଣୁ ପୁଣି

ହୋଇଲା ବନଚାରୀ ।

ପତିର ପଥ

 

 

ଅନୁସରିତ

ହେଲା ସେ ସହଚରୀ ।୩୯।

ବୃଥା ମାୟାରେ

 

 

ମୃଗ ପଛରେ

ପଠାଇ ଶ୍ରୀରାମରେ ।

ଦୈତ୍ୟ ହାତରେ

 

 

ଅପହରୁତ

ହେଲା ପଂଚବଟିରେ ।୪୦।

ସେ ମହାସତୀ

 

 

ହରାଇ ପତି

ଝୁରଇ ଆତୁରରେ ।

କନକ ପୁରେ

 

 

ଅଶୋକ ବନେ

କାନ୍ଦଇ ଅଧୀରରେ ।୪୧।

ନାହିଁ ତ କେହି

 

 

କାହାକୁ ଅବା

କହିବ ମନ ବ୍ୟଥା ।

କିଏ ବା ଆସି

 

 

କହନ୍ତା ପଦେ

ଶ୍ରୀରାମଙ୍କର ଅବସ୍ଥା ।୪୨।

ନୟନ ଯହିଁ

 

 

ପଡ଼ଇ ଯାଇ

ଦୈତ୍ୟ ଦେଖଇ ପଣେ ।

ନାହିଁ ତ କାହିଁ

 

 

ଯୋଜନ ମଧ୍ୟେ

ମାନବ ଅବା ଜଣେ ।୪୩ ।

ଦୈତ୍ୟାଚରଣ

 

 

ଦିଅଇ କଷ୍ଟ

କାୟ, ମନ, ହୃଦୟରେ ।

ଏକାନ୍ତ ବାସ

 

 

ସଦା ସର୍ବଦା

ଦୁର୍ବିସହ ଅଟେରେ ।୪୪।

ଉମେଶ ଭଣେ

 

 

ଜାଣିବା ପଣେ

ଧ୍ୟାୟୀ ଉମେଶ ପାଦ ।

ଲକ୍ଷ୍ମଣ ଭାବେ

 

 

ଭାଇର ପାଶେ

ଯିବି ନେଇ ସଂବାଦ ।୪୫ ।

 

***

 

ତୃତୀୟ ଛାନ୍ଦ

ରାଗ – ଚୋଖୀ

ଧୀରେ ଅଶୋକ ବନରୁ

 

 

ପଶ୍ଚିମ ପ୍ରାନ୍ତ ଆକାଶୁଁ

ଶୁକ୍ଳ ସପ୍ତମୀର ଚାନ୍ଦ ପ୍ରସ୍ଥାନ କଲା ।

ତମସା ଧୀରେ ବ୍ୟାପିଲା

 

 

ଆଲୋକ ଦୂରେଇ ଗଲା

ଆକାଶେ ତାରାଗଣର ଦ୍ୟୁତି ବଢ଼ିଲା ।

ମଧ୍ୟରାତ୍ର ହେଲା ଜାଣିଲା,

ପ୍ରହରୀର ଘଂଟା ଶବ୍ଦ ସୂଚାଇ ଦେଲା । ୧ ।

କନକ ପୂରୀ ରାସ୍ତାର

 

 

ଉଭୟ ପାର୍ଶ୍ଵରେ ସ୍ଥିତ

ଝଲସି ଉଠେ ନିସ୍ପ୍ରଭ ଅଲୋକ ମାଳା ।

ଯେହ୍ନେ ଦୈନିକ ପ୍ରବର

 

 

ଯୁଦ୍ଧେ ମଜ୍ଜି ଥାଏ ବୀର

କର୍ତ୍ତବ୍ୟ ପାଳନରେ ସେ ନ କରି ହେଳା ।

ସେହି ପ୍ରାୟ ବତୀ ସମୁହ

ନିର୍ବିକାର ଭଙ୍ଗୀରେ ସେ କର୍ତ୍ତବ୍ୟରତ ।୨।

ଚତୁର୍ଦ୍ଦିଗ ଅନ୍ଧକାର

 

 

ଅଶୋକ ବନ ମଧ୍ୟର

କିଂଚିତ ଆଲୋକ ମାତ୍ର ଶିଂଶପା ମୂଳେ ।

ପାଶେ ଅସୁରୁଣୀ ଦଳ

 

 

ହୋଇଣ କରମ କ୍ଲାନ୍ତ

ଧୀରେ ପତ୍ର ବିଛଣାରେ ନିଦେ ଶୋଇଲେ।

ରାମାନୁଜ ଦୁଃଖେ ଚାଲନ୍ତି,

ରାମପାଶେ ବାର୍ତ୍ତା ଦେବି ବୋଲି ଭାବନ୍ତି ।୩।

ହେଉଁ ପ୍ରସ୍ଥାନେ ଉଦ୍ୟତ

 

 

କର୍ଣ୍ଣ ଗହ୍ୱରେ ପତିତ ।

ହୋଇଲା ମାଧୁରୀ ସ୍ୱର ଘଂଟା ଭେରୀର ।

ଶଙ୍ଖ ଧ୍ୱନିର ସହିତ

 

 

ହୁଅଇ ପ୍ରତି ଧ୍ୱନିତ

ଶାନ୍ତ ସ୍ନିଗ୍ଧ ଉପବନ ପରିବେଶର ।

ଚକିତେ ଚାହିଁଲା ଲକ୍ଷ୍ମଣ ।

କି ଶୁଣିଲି ଭାବି ତହିଁ ଡେରେ ଶ୍ରବଣ । ୪ ।

ଭାବଇ ସୌମିତ୍ରୀ ବୀର

 

 

ଧ୍ୱନି ଏ ଅଟେ ପୂଜାର

କି କାର୍ଯ୍ୟ ହେଉଛି ଏ ତ ରାବଣ ପୁର ।

ଦଶାନନ ମହାବୀର

 

 

ଖଟାଇ ଅଛି ସତ୍ୱର

ସମସ୍ତ ଦେବା ଦେବୀରେ ନିଜ ସେବାର ।

ସିଏ ତ ରାକ୍ଷସ ରାଜନ

ତା ପୁରେ କି ଧର୍ମ ଆଉ କିବା ପୂଜନ ।୫।

ବିଶ୍ରବା ନନ୍ଦନ ସେତ

 

 

ଜ୍ଞାନ ବିଜ୍ଞାନ ସହିତ

ଅରଜିଛି ସର୍ବ ପ୍ରଜ୍ଞା ତପ ବଳରେ ।

କଠୋର ତପ ଆଚରି

 

 

ଚତୁରାନନକୁ ବରି

ବାତ, ଆପ, କ୍ଷିତି, ଶକ୍ତି ଆଉ ଇନ୍ଦ୍ରରେ ।

ନିଜ ମତେ କରେ ପ୍ରୟୋଗ,

ପୁଷ୍ପକ ବିମାନରେ ସେ ହୁଏ ଗମିତ ।୬।

ଏମନ୍ତ ଶକତି ପ୍ରାପ୍ତ

 

 

ବିଜ୍ଞାନୀ ବିଶ୍ରବା ସୁତ

ସୃଜିଛି ଏ କନକ ପୁର ସ୍ୱ ଚେଷ୍ଟାରେ ।

କି ଅବା ତାକୁ ଅପ୍ରାପ୍ୟ

 

 

କି ଅବା ତା ପ୍ରୟୋଜନ

ପୂଜନ କରେ କାହାକୁ ସେ କି ଆଶାରେ ।

କିବା ଅଟେ ଧର୍ମ ତାହାର,

କାହାକୁ ପୂଜଇ ସେ ପୂଜା କି ପ୍ରକାର ।୭।

ବିଚାରେ ଆଜି ଦେଖିବି

 

 

ମାୟାପୁରୀର ମାୟାବୀ

ମଧ୍ୟ ରାତ୍ରରେ ପୂଜଇ କେଉଁ ଦେବକୁ ।

ଦେଇଣ ଶବଦେ ଧ୍ୟାନ

 

 

କରନ୍ତି ଅବଲୋକନ

ଲୁଚାଇ ପତ୍ର ଆଢ଼ୁଆଳେ ଶରୀରକୁ ।

ସୁମିତ୍ରା ନନ୍ଦନ ଦେଖନ୍ତି

ଦଶାନନ ସାଥେ ମନ୍ଦୋଦରୀ ଆସନ୍ତି ।୮।

ହସ୍ତେ ପୂଜା ଥାଳି ଧରି

 

 

ପୂଜା ଦ୍ରବ୍ୟାଦିରେ ଭରି

ଅଗ୍ରେ ଚାଲିଛନ୍ତି ମନ୍ଦୋଦରୀ ସୁନ୍ଦରୀ ।

ପଛକୁ ବିଶ୍ରବା ସୁତ

 

 

ଶୌଚ ସ୍ନାତ, ଶୁଦ୍ଧ ପୁତ

ହୃଦୟ ମଧ୍ୟରେ ଭକ୍ତି ଭାବକୁ ଭରି ।

ସେତ ବ୍ରହ୍ମଜ୍ଞ ମହାଜ୍ଞାନୀ

ଧୀରେ ଚାଲିଛନ୍ତି କରିଣ ଶଙ୍ଖଧ୍ୱନୀ ।୯।

ମନ୍ଥର ପାଦରେ ଯାଇ

 

 

ସତୀ ପାଶେ ଥାଳ ଥୋଇ

ସ୍ତୁତି କଲେ ମାତା ବୋଲି ତୁଣ୍ଡ ଉଚ୍ଚାରି ।

ଭୂମିଷ୍ଠ ପ୍ରଣାମ ହୋଇ

 

 

ବେନି ଜନ ଜୋଡ଼ିୟ

ହୋଇ ଧୂପ, ଦୀପ, ଅର୍ଘ୍ୟାଦିରେ ଅର୍ଚ୍ଚନା କରି ।

ଯୋଡ଼ ହସ୍ତ ହୋଇ ବୋଲନ୍ତି ।

ତୁଷ୍ଟ ହୁଅ ମାତ ବୋଲି ସ୍ତୁତି କରନ୍ତି । ୧୦ ।

ଜୟ ମାତା ଠାକୁରାଣୀ

 

 

ନାରାୟଣଙ୍କ ଘରଣୀ

ବିଶ୍ୱ ବ୍ରହ୍ମାଣ୍ଡ ସଚରାଚର ବନ୍ଦିନୀ ।

ସୂର୍ଯ୍ୟ, ଚନ୍ଦ୍ର, ଇନ୍ଦ୍ର ଆଦି

 

 

ସୂର ପୂରୀ ଦେବା ଦେବୀ

ତୋ ପାଶେ କରୁ ଥାଆନ୍ତି ସଦା ଦୟିନୀ ।

ବିଧାତାସହ ହର, ହରି

ନିତ୍ୟ ନୈମିତ୍ୟ ପୂଜନ୍ତି ଦିବା ଯାମିନୀ । ୧୧।

ସୁଖ ସମ୍ପତି ଦାତ୍ରୀ ମା

 

 

ଦାରିଦ୍ର୍ୟ ଭଞ୍ଜନୀ ମାତା

ତୋ ବିନା ହୁଏନି ମାତ୍ର କେହି ସଫଳ ।

ଶୁଭ ଦାତ୍ରୀ, ଶୁଭ କର୍ତ୍ତ୍ରୀ

 

 

କର୍ମ ଫଳ ପ୍ରଦାୟିନୀ ।

ତୋ ଆଜ୍ଞା ବିନା ଗୋ ମାତ ସବୁ ଅଚଳ ।

ତୁ ଏକା ମୋକ୍ଷ ପ୍ରଦାୟିନୀ ।

ତୁ ସାହା ହେଲେ ମାତ ସବୁ ବଂଚଳ ।୧୨।

ସର୍ବ ଗୁଣ ଅଧିକାରୀ

 

 

ସୁନ୍ଦର ଶରୀର ଧାରୀ

ଜ୍ଞାନ ବିଜ୍ଞାନ ସମ୍ପୂର୍ଣ୍ଣ ଭୂଚର ବାସୀ ।

ତୋ ବିନେ ମା ନାରାୟଣୀ

 

 

ସର୍ବ ହୁଏ ଧନ ହାନୀ

ଖାଦ୍ୟ ବସ୍ତ୍ର ବିନା ହୁଏ ସେ କ୍ରୀତଦାସୀ ।

ତୁହି ମାତ୍ର ଏକା ଭରସା

ତୋ ଯୋଗୁ ସଂସାରୀ ପାଏ ମୁକ୍ତି ସହସା ।୧୩।

ଜାଣେ ମୁଁ ଗୋ ସୀତା ମାତା

 

 

ତୁ ବିଷ୍ଣୁଙ୍କର ଦୟୀତା

ତୁହି ବାସକରୁ ମାତ କ୍ଷୀର ସିନ୍ଧୁରେ ।

ତୁହି ମୋର ମୁକ୍ତି ଦାତ୍ରୀ

 

 

ଅଟୁ ମୋ କର୍ମର କର୍ତ୍ତୀ

ତୁହି ଅଟୁ ପଥ ତୁହି ଅଟୁ ଲକ୍ଷରେ ।

ହରିଛି ତୋତେ ମୁଁ ଛଳରେ,

ଭବ ସାଗର ତରିବି ତୋର ବଳରେ ।୧୪।

ପୂଜା ଦେଖି ସ୍ତୁତି ଶୁଣି

 

 

ଲକ୍ଷ୍ମଣ କୁମାର ପୁଣି

ଆଚମ୍ୱିତ ହୋଇ ଭାବେ କିସ ଦେଖିଲି ।

ଏତ ମାୟାବୀ ନଗରୀ

 

 

ଲଙ୍କେଶ ଗଡ଼ ଅଟଇ

ରାକ୍ଷସମାନଙ୍କ ଏହା ମହା ନଗରୀ ।

ସୁରା, ଆମିଷ ଆଉ ନାରୀ,

ହିଂସା, ଅନ୍ୟାୟ, ଅତ୍ୟାଚାର ହୁଏ ଭାରି ।୧୫।

ଦୁରାଚାରୀ ଦଶାନନ

 

 

ପାପୀଷ୍ଠ ରାକ୍ଷସ ରାଜ

ତା ମୁଖେ ଶୋହୁଛି ଆଜ ପୂଜା ମନ୍ତର ।

ବରିବାର୍ଥେ ହରିଛି ସେ

 

 

ଜନକ ରଶି କନ୍ୟାରେ

ଜଗତ ଜାଣିଛି ତାକୁ ଏହି ରୂପରେ ।

ଏଥେ ଆଜି ମଧ୍ୟ ରାତ୍ରରେ

ଏ କି ରୂପ ତା’ର ପୁଣି ସେ ପୂଜେ ସୀତାରେ ।୧୬।

ଦେଖି ଏ ଦୃଶ୍ୟ ସୌମିତ୍ରୀ

 

 

ଆଚମ୍ଭିତ ହେଉଥାନ୍ତି

କ୍ରମେ ବିହ୍ୱଳିତ ହୋଇ ବୋଲେ ବଚନ ।

ଧନ୍ୟ ନିକଷା ନନ୍ଦନ

 

 

ଧନ୍ୟ ତୋ ଜ୍ଞାନ ବିଜ୍ଞାନ

ଧନ୍ୟ ତୋର ପିତା ମାତା ଧନ୍ୟ ଜୀବନ ।

ଜାଣିଲି ତୋ ଅସଲ ରୂପ,

କେଡ଼େ ଭିନ୍ନ ଅଟେ ତୋର ବାହ୍ୟ ସ୍ୱରୂପ ।୧୭।

ଧନ୍ୟ ତୋହର କିରତୀ

 

 

ଧନ୍ୟ ତୋର ମତି ଗତି

ଧନ୍ୟ ତୋର ନିଷ୍ଠା ଆଉ ତୋ ପରାକାଷ୍ଠା,

କେଡ଼େ ନିନ୍ଦା ବୋହି ତୁ ଯେ

 

 

କରୁ କେଡ଼େ ସୁକର୍ମରେ

ଗୁପତେ ନିଭାଉ କରି କରି ସୁଚେଷ୍ଟା,

ସତେ ତୁ କରୁ କେତେ କଷ୍ଟ

ଜାଣେନା ମୁଁ ମାତା ସୀତା ହେବେ କି ତୁଷ୍ଟ ।୧୮।

ଶୁଣିଲା ରାବଣ ଗୀର

 

 

ବୋଇଲା ଶୁଣିଲି କଣ

କିଏ କହିଲା ଏ ଗୀର ବୋଲି ଭାବଇ ।

ଶୋଇଛନ୍ତି ନଗ୍ରବାସୀ

 

 

ମାୟା ନିଦ୍ରା ଅଛି ଗ୍ରାସି

ପାଶେ ମୋ ତୃତୀୟ ବ୍ୟକ୍ତି ନାହିଁ ତ କେହି ।

ତଥ୍ୟ ଏତ ଅଟେ ଗୁପତ,

ପ୍ରକାଶ ହୋଇଲେ ହେବ ବଡ଼ ଅନର୍ଥ ।୧୯।

କ୍ଷଣ ପରେ ହେଲା କୋପି

 

 

ଲଙ୍କେଶ୍ଵର ସିଦ୍ଧତପି

ବୋଇଲା ରେ କିଏ ମୂଢ଼ ଛପି ଶୁଣୁଛ ।

ମୁହଁରେ ନାହିଁ ସରମ

 

 

କରୁଛି କେଡ଼େ କୁକର୍ମ

ଚୋର ପରି ଛପି ଦେଖି ଧନ୍ୟ କହୁଛି

ସ୍ୱରୂପ ତୋ କର ପ୍ରକାଶ,

ନୋହିଲେ ଦେବି ମୁଁ ଶାପ ହେବୁ ତୁ ନାଶ ।୨୦।

ଏତେ କହି କୋପଭରେ

 

 

ନିରିଖେ ଚଉଦିଗରେ

ଧ୍ୟାନ ଦେଇ ଶବଦ ଆସିବା ଆଶାରେ ।

ଦେଖଇ ବୃକ୍ଷ ଡାଳର

 

 

ଅନ୍ଧାରିଆ ଆଢ଼ୁଆଳ

ହୃଦୟ ପୂରଇ ତା’ର ରାଗ ରୋଷରେ ।

କେଉଁଠି କେ ଅଛରେ କୁହ

ବୀର ପୁଙ୍ଗବ ଅଛତ ବାହାର ହୁଅ ।୨୧।

ଦେଖି ଦଶାନନ କୋପ

 

 

ଶୁଣି ତା କ୍ରୋଧିତ ଗୀର

ଲକ୍ଷ୍ମଣ ହିଆ ଥରିଲା ଶାପର ଡରେ ।

ଆଢ଼ୁଆଳରୁ ବାହାର

 

 

ହୋଇଣ ତତ୍‍କ୍ଷଣେ ବୀର

ସ୍ୱରୂପ ପ୍ରକାଶି ବୋଲେ କୋମଳ ଗୀରେ।

ମୁଁ ଅଟଇ ରାମ ଅନୁଜ

ଭ୍ରାତାଦେଶେ ଆସିଥିଲି ଦେଖ ଭୂମିଜ ।୨୨।

ବୋଲଇ ନିକଷା ସୁତ

 

 

ଏ ଅଟଇ ତଥ୍ୟଗୁପ୍ତ

ତୋର ଜାଣିବା ସମ୍ପୂର୍ଣ୍ଣ ନୁହେଁ ଉଚିତ ।

ଜାଣିଲୁ ଯେବେରେ ବୀର

 

 

ପ୍ରକାଶିବୁ ନାହିଁ ଗୀର

ପ୍ରକାଶିଲେ ଜାଣିଥାରେ ହେବ ଅନର୍ଥ ।

ଦେଉଛି ମୁଁ ଶାପ ଏ ବ୍ରହ୍ମା,

ଦ୍ୱିତୀୟ ବ୍ୟକ୍ତି ଜାଣିଲେ ହୋଇବୁ ଭସ୍ମ ।୨୩।

ଶାପ ଦେଇ କୋପଭରେ

 

 

ମନ୍ଦୋଦରୀ ସହିତରେ

ଅନ୍ତପୁର ଅଭିମୁଖେ ଗମନ କଲେ ।

ଲକ୍ଷ୍ମଣ କୁମାର ଭାବେ

 

 

ଏହା କି ସମ୍ଭବ ଭବେ

ସୁକାମ କରେ କେ ଲୁଚି ମହୀ ମଣ୍ଡଳେ ।

ପ୍ରକାଶିବ କି ଚିନ୍ତା କରେ,

ସୁମିତ୍ରା ନନ୍ଦନ ଆଜି ପଡ଼ି ଦ୍ୱନ୍ଦରେ ।୨୪।

ଛାଡ଼ିଲା କୁକ୍କୁଟ ରାବ

 

 

ଏ କାଳେ ଝାଡ଼ିଣ ପର

ସୁଚାଇଲା ରଜନୀ ତୃତୀୟ ପ୍ରହର,

ନଭେ ମଙ୍ଗଳ ନକ୍ଷତ୍ର

 

 

ମୋହ କଲା ସର୍ବ କ୍ଷେତ୍ର

ଚନ୍ଦ୍ର ପ୍ରସ୍ଥାନରେ ହୋଇ ଉଜ୍ୱଳତର,

ହରି ଆଗମନ ଜାଣିରେ

କରି ଲୁଚଇ ଗହ୍ୱର ଆଶ୍ରା ଲୋଡ଼ିରେ ।୨୫।

ଗ୍ରାମ୍ୟପ୍ରାନ୍ତର ଶୃଗାଳେ

 

 

ଛାଡ଼ିଲେ ରଡ଼ି ବିକଳେ

ନିଶାଚର ହେଲେ ଭୀତ ଭାନୁକୁ ଡରି ।

ଧୀରେ ଅପସରି ଯାନ୍ତେ

 

 

କାକ ଆସିଣ ନିରେଖି

ସେବାରେ ଥାଏ ଯେହେତୁ ଆସିବେ ହରି ।

ଯୋଗୀ, ଭୋଗୀ, ରୋଗୀ ଯେ ଚୋର

ସୁକର୍ମ ତେଜିଣ ସର୍ବେ ହେଲେ ତତ୍ପର ।୨୬।

ନିଦ୍ରାଦେବୀ ଘୋର ରୂପେ

 

 

ନଗର ବାସୀଙ୍କୁ ଘୋଟେ

ଲିଭିବା କ୍ଷଣକ ଆଗୁଁ ଦ୍ୱୀପ ପ୍ରାୟେକ ।

ଦିଏ ଶିଥିଳ ପ୍ରକାଶ

 

 

ମଣି ମାଳାର ଆଲୋକ

ଦୀର୍ଘ କର୍ମରତ ବୀର କର୍ମୀ ପ୍ରାୟେକ ।

ଭାବୁକ ସୁମିତ୍ରା ନନ୍ଦନ

ଉମେଶ କହେ ବୋଲିବ ଏ ସଂଦେଶ ମାନ ।୨୭।

 

***

Image

 

 

Unknown

ଚତୁର୍ଥ ଛାନ୍ଦ

ରାଗ- ରସକୁଲ୍ୟା

ଭ୍ରାତାପାଶେ ଫେରେ ରାମ ଅନୁଜ

ଭାରାକ୍ରାନ୍ତ ମନ ଦେହ ଅବଶ

କି କାର୍ଯ୍ୟ କରୁଣୁ କି କାର୍ଯ୍ୟ ହେଲା

କିମ୍ପାଇ ଦଇବ ଏହା ବିହିଲା ଯେ

ଚିନ୍ତାକରେ ସଉମିତ୍ରୀ ଯେ

ଦେଇ କି ସନ୍ଦେଶ

 

 

କରିବ ସନ୍ତୋଷ

ରଖିବ ସେ ଭାତୃ ପ୍ରୀତି ଯେ.... ୧...

ଅଶୋକ ବନରୁ ରାମ କୁଟିର

ଲାଗେ ଯେହ୍ନ ଅଟେ ଯୋଜନ ଦୂର

ପାଦ ନ ଉଠଇ ଛାତି ଥରଇ

ବ୍ରହ୍ମଶାପ କଥା ମନେ ପଡ଼ଇ

ହୃଦୟ କମ୍ପଇ ଡରେ ଯେ

ସତେ ହୋଇବ କି

 

 

ଆଜ ରାତ୍ର ଶେଷ

ଏଦେହ ପୋଡି ପାଉଁଶ ରେ.

ଯାହା ଦେଖୁଛନ୍ତି ଦୁଇ ନୟନେ

ପରତେ ଯିବେ କି ଭ୍ରାତା କଥନେ ।

ପର ପର କରି ଅଛି ପରତା

ମାନି ଅଛି ମନେ ମନେ ଦେବତା

କରଇ ମାତୃ ପୂଜନ ଯେ

କେତେ ଗୁଣ ଗାଇ

 

 

କେତେ ଦ୍ୱାହୀ ଦେଇ

ମାତୃ ତୁଷ୍ଟି ପ୍ରୟୋଜନ ଯେ....୩...

ଆବର ପୂଜନ ଅଟେ ଗୁପତ

ସୁରେ ଅସୁରେ ଓ ନରେ ଅଜ୍ଞାତ

ମଧ୍ୟ ରାତ୍ରେ ରଚେ ଦୟୀତା ସାଥେ

ଭବ ସାଗରରୁ ମୁକତି ଆଶେ

କେଡ଼େ ଗହନ ଏ କଥା ଯେ,

କିଏ ବା ବୁଝିବ

 

 

କେମିତି ବୁଝିବ

ଏ ଅସମ୍ଭବ ସର୍ବଥା ଯେ... ୪...

ଆବର ପୁଛିଲେ ମାତା ସଙ୍କେତ

ତୁଷ୍ଟ କି ଅତୁଷ୍ଟ ହୋଇ ପୂଜିତ

କି ଭାବ ଦର୍ଶାନ୍ତି ଦଶାନନରେ

କି ଭାବ ଦର୍ଶାନ୍ତି ମନ୍ଦୋଦରୀରେ

କି ଉତ୍ତର ଦେବ ଅଗ୍ରଜେ ଯେ.....

ଦେଖିନାହିଁ ସେତ

 

 

ମାତାଙ୍କର ଭାବ

ପୂଜିଲା ବେଳେ ରାବଣ ଯେ....୫....

ପ୍ରତେ ମାତା ଗ୍ରସ୍ତ ମୋହ ନିଦ୍ରାରେ

ଜାଣନ୍ତିନି ପୂଜା କଥା ମାୟାରେ

ମାୟାବୀ ବିଜ୍ଞାନୀ ଦଶାନନକୁ

ଜଣାଅଛି ମା ମାନବୀ ରୂପକୁ

ମୋହ ମାୟା ଗ୍ରସ୍ତ ଦେବୀ ଯେ

ନ ଚିହ୍ନ ନିଜକୁ

 

 

ସ୍ୱାମୀ ରାମଙ୍କୁ

ଚିହ୍ନିବକି ରାବଣକୁ ସେ.....୬ ।

ଉପୁଜଇ ଶଙ୍କା ମନ ମଧ୍ୟରେ

ପ୍ରକାଶିଲେ ଭସ୍ମ ହେବ ଅଚିରେ

ବ୍ରହ୍ମଶାପ ଦେଇଛି ଦଶାନନ

ଗୁପତ ତଥ୍ୟ ନ ଜାଣିବେ ଆନ

ଯଦି ପ୍ରକାଶ କରିବ ସେ....

ହୋଇବ ଫଳିତ

 

 

ବ୍ରହ୍ମ ଅଭିଶାପ

ଅଚିରେ ପାଉଁଶ ହେବ ସେ.....୭...

ଭ୍ରାତାଙ୍କ ବିଧୁର ଅବସ୍ଥା ଦେଖି

ଯାଇଥିଲା ବନେ ଭୂମିଜ ଦେଖି

ଭ୍ରାତା ଚାହିଁଛନ୍ତି ଶୁଣିବା ପାଇଁ

ଯା ଦେଖୁଛି ବନେ ନୟନ ଦୁଇ

ଯଦି ପ୍ରକାଶ ନ କରେ ସେ

ଭ୍ରାତାଜ୍ଞା ନ ପାଳି

 

 

ଭ୍ରାତୃଦ୍ରୋହୀ ବୋଲି

ବିଦିତ ହେବ ଜଗତରେ ସେ........

ରାମଙ୍କ ରାଜ୍ୟାଭିଷେକ ବେଳେ

ମାତା କୈକେୟୀଙ୍କ ବରର ବଳେ

ଯେବେ ବନଚାରୀ ରାମ ହୋଇଲେ

ସ୍ଵଇଚ୍ଛାରେ ତାଙ୍କ ସାଥୀ ହୋଇଲେ

ସୌମିତ୍ରୀ ସୁତ ଲକ୍ଷ୍ମଣ ଯେ.

ସାଥୀ ନ ଛାଡ଼ିବେ

 

 

ଭ୍ରାତାଜ୍ଞା ପାଳିବେ

ସେତ ଯାବତ ଜୀବନ ଯେ.....୯....

ଏତେ ଦିନ ରାମ ସାଥରେ ଥାଇ

ନିଜ ବ୍ରତ ଶୁଣେ ଛନ୍ତି ନିଭାଇ ।

ଏକାଳେ ଦାରୁଣ ନିୟତି ନେଇ

ଛାଡି ଅଛି ଏହି ଅବସ୍ଥା ଦେଇ

କି କରିବ କି କରିବ ସେ

ଭାଳଇ ଲକ୍ଷ୍ମଣ

 

 

ସେ ବୀର ପୁଙ୍ଗବ

ସୂର୍ଯ୍ୟବଂଶୀ ବଂଶଭବ ସେ..... ୧୦...

ବରଂ ହୋଇବି ମୁଁ ଶାପ ଶିକାର

ଭସ୍ମ ହେଲେ ହେବ ମୋର ଶରୀର

ଭ୍ରାତାଦେଶ ଅବଜ୍ଞା କରିବିନି

ଭ୍ରାତୃଦ୍ରୋହୀ ବୋଲାଇ ପାରିବନି ।

ନିଶ୍ଚୟ କଲେ ଲକ୍ଷ୍ମଣ ଯେ....

ଶ୍ରୀରାମ ଛାମୁରେ

 

 

ପ୍ରକାଶି ସତ୍ୱରେ

ସମ୍ମୁଖେ ତ୍ୟାଗିବି ଜୀବନ ଯେ.... ୧୧...

ଅଚିରେ ଫେରିଣ ପୁରଟ ପୂରୁଁ

ସୁବଳୟା ପାଦେ ପ୍ରବେଶ କରୁଁ

ଦେଖନ୍ତି ନିଶ୍ଚିତେ ନିଦ୍ରା କୋଳରେ

କପି ସେନା ଆଉ ପାତ୍ର ମନ୍ତ୍ରୀରେ

ସକଳ ସଖା ସହୋଦରେ...

ରାମଚନ୍ଦ୍ର ଏକା

 

 

ବସି ଏକା ଏକା

ପଥ ଦେଖନ୍ତି ଅନୁଜରେ ଯେ.... ୧୨...

ଚିନ୍ତିତ ମନେ ପ୍ରବେଶ ହୋଇଲେ

ଭ୍ରାତା ପାଶେ ଯାଇ ମିଳିଲେ ହେଳେ

କୌଶଲ୍ୟା ନନ୍ଦନ ଉତ୍କଣ୍ଠା ମନେ

ଚାହିଁ ରହିଥିଲେ ଭ୍ରାତାଗମନେ,

ଅନୁଜାଗମନ ଦେଖି ଯେ...

ସଂବାଦ ଶୁଣିବା

 

 

ଆକାଂକ୍ଷା ନେଇ ସେ

ଭାବ ପଢ଼ନ୍ତି ନିରେଖି ଯେ... ୧୩...

ଦେଖି ଅନୁଜ ବିଷର୍ଣ୍ଣ ବଦନ

ଚିନ୍ତା କରନ୍ତି ଶ୍ରୀରାମ ସଘନ

ନିଶ୍ଚେ ସୀତା ଦୁଃଖେ ଦୁଃଖୀ ସୌମିତ୍ରୀ

ମୋ କାରଣେ ସିନା ହେଲା ଏ ସ୍ଥିତି

ଭାବି ବୋଲନ୍ତି ଭାଷଣ ଯେ...

କହନା ଅନୁଜ

 

 

ଜାଣିଛି ଭୂମିଜ

ପାଉ ଅଛନ୍ତି କଷଣ ଯେ... ୧୪...

କପାଳରେ କର ମାରି କହନ୍ତି ।

ମୋ ପାଇଁ ସୀତା ଏ ଦଶା ଲଭନ୍ତି

ଶିବ ଧନୁ ଭାଙ୍ଗି ମୁ ବରିଥିଲି

ସାତ ଜନ୍ମ ସାଥି ହେବ ବୋଇଲି

ପିତାଙ୍କୁ ବଚନ ଦେଲି ଯେ....

ଗୋଟିଏ ଜନମ

 

 

ପୂରା ନୋହିଲା ହେ

ପ୍ରାଣ ପ୍ରିୟା ହରାଇଲି ଯେ... ୧୫...

ମାତାଙ୍କ ବର ଯାଚନା ବେଳରେ

ପିତାକୁ ବିବେଚନା ସମୟରେ

ପିତୃସତ୍ୟ ରଖିବା ଉଦ୍ଦେଶ୍ୟରେ ।

ମୁଁ ଯେବେ ହୋଇଲି ବନଚାରୀରେ

ପ୍ରାଣପ୍ରିୟା ସଖୀ ମୋର ଯେ....

ରାଜସୁଖ ଭୋଗ

 

 

ତ୍ୟାଗ କରି ସେତ

ହେଲା ସହଚରୀ ମୋର ଯେ..... ୧୬...

ମୋ ଦୁଃଖ ବେଳର ସାଥୀ ସିଏ

ତା ଦୁଃଖ ବେଳେ ମୁଁ ଦୂରେ ଥାଏ

ଅଶୋକ ବନେ ତାଡ଼ନା ପାଏସେ

ବେସାହାରା ଏକାକିନି ଥାଏ ସେ

ରାକ୍ଷସୁଣୀ ମେଳେ ଥାଇ ଯେ....

ସ୍ୱାମୀ ସୁଖ ଆଶା

 

 

କରୁ କରୁ ଏବେ

ରହେ କେତେ କଷ୍ଟ ପାଇ ଯେ.... ୧୮...

କହନ୍ତି ଶ୍ରୀରାମ ଆରେ ଅନୁଜ

କହନା ତୁ ଯାହା ଦେଖୁଲୁ ଆଜ

ଜାଣି ମୁଁ ପାରୁଛି ପ୍ରିୟା ବେଦନା

କେଡ଼େ ପୀଡ଼ା ପାଉଛି ମୋ ନବୀନା

କହ ନା କହନା ଆଉ ଯେ

ଶୁଣିଲେ ଆଉ ମୋ

 

 

ଛାତି ଯିବ ଫାଟି

ସେ ଦୁଃଖ କାହାଣୀ ଥାଉ ଯେ....୧୯...

ଆବର କହନ୍ତି ପ୍ରଭୁ ଶ୍ରୀରାମ

ଚାଲରେ ଲକ୍ଷ୍ମଣ ନେବା ବିଶ୍ରାମ

ହେଲାଣି ରାତ୍ର ତୃତୀୟ ପ୍ରହର

କାଲି ପ୍ରତ୍ୟକ୍ଷ ଯୁଦ୍ଧ ନାଶିବା ପର

ପର ବିନାଶ ହୋଇଲେ ଯେ....

ଗଡ଼ ଜିଣିକରି

 

 

ଆଣିବା ଜାନକୀ

କହି ଶୀରେ ହାତ ଦେଲେ ଯେ... ୨୦...

ଅଗ୍ରଜ ବଦନ ଦେଖେ ଲକ୍ଷ୍ମଣ

ବିବଶ ବିବର୍ଣ୍ଣ ମୁଖାରବିନ୍ଦ

ମଥା ଭାରାକ୍ରାନ୍ତ ନତ ମସ୍ତକ

ବାମ ହସ୍ତେ ଭରା କପାଳ କୁଂଚନ

ଦୃଶ୍ୟ ଦେଖୁ ନ ପାରଇ ଯେ...

ପ୍ରୀୟା ବିଧୁରର

 

 

ଦୁଃଖ ଅବର୍ଣ୍ଣନ

ଲକ୍ଷ୍ମଣ ଚିରେ ସହଇ ଯେ.... ୨୧...

ଦୁଃଖାଭିଭୂତ ଅଗ୍ରଜରେ ଦେଖି

ଲକ୍ଷ୍ମଣ ପାରେନି ନିଜରେ ରୋକି

ବଖାଣି ଦିଅନ୍ତି ସର୍ବୋପଖ୍ୟାନ

ଦଶାନନଙ୍କର ସତୀ ପୂଜନ ଯେ...

ବାରତା କରୁଣୁ ଶେଷ ଯେ....

ବ୍ରହ୍ମଶାପ ବଳେ

 

 

ତକ୍ଷଣେ ହୋଇଲେ

ରାମ ଅନୁଜ ପାଉଁଶ ଯେ... ୨୨...

ଦେଖନ୍ତି ଶ୍ରୀରାମ ଲକ୍ଷ୍ମଣ କହୁଁ

ଭୂ ପରେ ଢଳନ୍ତି ନ କହି ଆଉ

କହୁ କହୁ ହୋଇଗଲେ ନିର୍ବାକ

ଚଳୁ ଅଚଳ ହୋଇଲେ ତତ୍କାଳ

ଏକି ହେଲା ଏକି ହେଲା ଯେ...

ଦ୍ୱିତୀୟ ପୁରୁଷ

 

 

ଜାଣିଲା ଗୁପତ

ବ୍ରହ୍ମାଭିଶାପ ଫଳିଲା ଯେ.... ୨୩...

ଶ୍ରୀରାମ ଭାବନ୍ତି ଏ କି ହୋଇଲା

ପ୍ରତେ ନୋହେ ଯା ଅନୁଜ କହିଲା

ଭାବେ ବୀର କର୍ଣ୍ଣ ଏ କି ଶୁଣିଲା

ରାବଣ ହରିଣ ସୀତା ପୂଜିଲା

ଲକ୍ଷ୍ମଣ କିର୍ତ୍ତୀ ରଖିଲା ଯେ....

ଭ୍ରାତା ପାଶେ ଆସି

 

 

ସଂଦେଶ ପ୍ରକାଶି

ଶ୍ରାପ ଶିକାର ହୋଇଲା ଯେ.... ୨୪...

ସଘନେ ଭାବନ୍ତି କୌଶଲ୍ୟା ସୁତ

ସ୍ଵପ୍ନ ଅବା ଏହା ଅଟଇ ସତ୍ୟ

ଅନୁଜ ମୋହର ବୋଲୁନି କିଆଁ

ସତେ ପ୍ରାଣ ଛାଡ଼ି ଗଲା କି ହିଆ ଯେ

ଏକି ଅନର୍ଥ ହୋଇଲା ଯେ....

କହଇ ଉମେଶ

 

 

ସତୀ ସୀତା ଈଶ

ଶୋକାନଳରେ ଜଳିଲା ଯେ... ୨୫...

 

***

 

Image

 

 

ପଞ୍ଚମ ଛାନ୍ଦ

ରାଗ -ଚିନ୍ତା ଭୈରବ

ଶ୍ରୀରାମଙ୍କ ବିଳାପ

 

ବିହି ହେଲା ମୋ କିମ୍ପାଇ ବାମ

ତୋତେ ଅର୍ପିଲି କିଆଁ ଏ କାମ

ଅକାରଣେ ସତୀ ସୀତା ପାଶେ ପେଶି

ହେଲି, କାରଣ ତୋ ମରଣର ....ରେ ଅନୁଜ..... ୧...

 

ଚକ୍ରବାକର ବିଳାପ ଶୁଣି

ମନେ ପଡ଼ିଲା ମୋ ଘରମଣି

ବିଧୁର ମନ ମୋ ନ ମାନିବାରୁ ତ

ତୋତେ, ପେଶିଲି ଅଶୋକ ବନ .. ରେ ଅନୁଜ.... ୨...

 

ତୁ ଦେଖୁଲୁ ସତୀ ପୂଜନ

ଆସି କରିଲୁ ତାହା ବର୍ଣ୍ଣନ

ମନେ ନଥିଲା କି ବ୍ରହ୍ମ ଅଭିଶାପ

ଅବା, ଜାଣି ତୁ ଦେଲୁ ଜୀବନ.. ରେ ଅନୁଜ...୩...

 

କେଡ଼େ ହୀନ କର୍ମ ମୁ କରିଲି,

ପ୍ରିୟା ସଂଦେଶାର୍ଥ ପଠାଇଲି,

ସ୍ୱାର୍ଥ ବଶେ ମୋହ ଗ୍ରାସ କଲା ମୋତେ

ଆଜି ତୋ ପରି ଭାଇ ହରାଇଲି..ରେ ଅନୁଜ...୪... ।

 

ରାଜା ହେଉଁ ହେଲି ତପଚାରୀ

ବନେ ହରାଇଲି ମୁଁ ସୁନ୍ଦରୀ

ପାଶେ ଥିଲୁ ବୋଲି ଧଇର୍ଯ୍ୟ ଥିଲାରେ

ଆଜି, ବନ୍ଧ ତ ଗଲା ହୁଗୁଳି ରେ ଅନୁଜ....୫...

 

ଭ୍ରାତୃ ରକ୍ଷା ପାଇଁ ରେ ଲକ୍ଷ୍ମଣ

ସଦା ହେଉ ତୁ ରେ ତତପର

ଅଯୋଧ୍ୟା ଛାଡ଼ିଲା ବେଳେ ମନାସିଲୁ,

ଦେବୁ, ପ୍ରାଣ ଦରକାର ବେଳେ ରେ ଅନୁଜ....୬...

 

ମାତା ସୁମିତ୍ରାଙ୍କର ଆକଟ,

ତୋର ମନରେ ହେଲା ପ୍ରକଟ,

ଅଗ୍ରଜର ଇଚ୍ଛା ପୂରଣ କରିତୁ

କଲୁ, ମାତୃ ସତ୍ୟରକ୍ଷା ପୂର୍ଣ୍ଣ ରେ ଅନୁଜ....୭....

 

ଶୂଳ ମାରିଥିଲା ମେଘନାଦ,

ହୋଇ ଥିଲା ସେ ପ୍ରତ୍ୟକ୍ଷ ଯୁଦ୍ଧ

ସେନାନୀ ସଙ୍ଗତେ ବଂଚାଇଲି ତୋତେ

ଆଣି ବିଷଲ୍ୟକରଣି ଯୋଗେ ରେ ଅନୁଜ......

 

ଦେହେ ହୋଇଥିଲା ତୋର କ୍ଷତ

ବଂଚାଇଲୁ ଲଗାଇ ଔଷଧ,

ଅବ ଥିଲା ବୋଲି ସାଥୀବଳେ ସିନା

ତୋର, ଫେରାଇଥିଲୁ ସଂବିତରେ ଅନୁଜ.....୯...

 

ଏବେ ହୋଇ ବ୍ରହ୍ମଶାପଗ୍ରସ୍ତ,

ନିମିଷକେ ହୋଇଗଲୁ ଭସ୍ମ

ଏଥକୁ ଉପାୟ ଅଛିକି କେଉଁଠି

ଆଜି କରିବି ଏଥକୁ କିସ ରେ ଅନୁଜ... ୧୦...

 

ରାଜ୍ୟ ଛାଡ଼ିଥିଲେ ଆମେ ତିନି

ଯେବେ ବାହୁଡ଼ିବି ଏକାକିନି

ମାତା ମାନଙ୍କର ପ୍ରଶ୍ନ ତ ବର୍ଷିବ

କିସ, କହି ବୁଝାଇବି ତିନି ରେ ଅନୁଜ... ୧୧...

 

ସାନ ବୋଲି ଦେଇ ଦେଇ ମାନ

ମନେ ଥିଲା କିରେ ଅଭିମାନ

ଆଦେଶ ପାଳିତୁ ଜୀବନ ଦେଲୁରେ

ଆଜି କରିଦେଲୁ ମୋତେ ସାନ ରେ ଅନୁଜ... ୧୨...

 

ଆଉ କିଏ ପୁଛିବ କାରଣ

ଲୁହ କରିବ କେ ନିବାରଣ

ତୁହି ଥିଲୁ ବୋଲି ପୋଛି ଦେଉ ପୁଛି

ଭରି, ସାନ୍ତ୍ୱନା ବାଣିରେ ମନ ରେ ଅନୁଜ... ୧୩...

 

ସଦା, ହୋଇଥାଉ ଆଗଭର,

ସାମ୍ନା କରିବାକୁ ବିପଦର,

ଆଜି ଏକା କରି ରହିଛୁ କିପରି

କିଆଁ, ପୋଛୁନୁ ମୋ ଲୁହ ଧାର ରେ ଅନୁଜ... ୧୪...

 

ବାକ୍ୟ କହି ଧୀର ବୀରବର

ଧୈର୍ଯ୍ୟ ଦେଉଥିଲୁ ବରାବର

ଆଜି ତୁ ନିର୍ବାକ ରହିଛୁ କେମିତି

ଦେଖ, କେତେ ଅଧୈର୍ଯ୍ୟ ମୁଁ ନାଚାର ରେ ଅନୁଜ... ୧୫...

 

ଦେଖ ପ୍ରାଚୀ ମାଖିଲାଣି ସିନ୍ଦୁର

ଏବେ ନିଦ୍ରା ଭାଙ୍ଗିବ ସବୁର

ବନ୍ଧୁ ପରିଜନ ସଖା ସହୋଦର

ତାଙ୍କୁ, ପୁଛନ୍ତେ କି ଦେବି ଉତ୍ତର ରେ ଅନୁଜ... ୧୬...

 

ଯେବେ ଜାଣିବେ ସକଳ ଗାଥା

ହେବ ପ୍ରଘଟ ସ୍ୱାର୍ଥପରତା

ମୋର ହୀନ ସ୍ଵାର୍ଥ ପାଇଁ ତୋ ଜୀବନ

ହେଲା, ସଙ୍କଟରେ ପରିପୂର୍ଣ୍ଣ ରେ ଅନୁଜ... ୧୭...

 

ଜାଣିଯିବେ ମୋର ସଂକୀର୍ଣ୍ଣତା

ମୋର ପ୍ରଭୁତ୍ୱ ହେବ ଅନ୍ୟଥା

ତୁ ସିନା ହେବୁରେ ଧନ୍ୟ ସର୍ବ ମୁଖେ

ମୋତେ ଜଗତ କରିବ ନିନ୍ଦାରେ ଅନୁଜ... ୧୮...

 

ଆମେ ରଘୁବଂଶର ଦାୟାଦ

ଆମ ରୀତି ଅଟେ ମହୀୟାନ ।

ପ୍ରାଣ ଦେବୁ ସିନା ବାକ୍ୟ ନ ହାରିବୁ

ଆଜି କରିଦେଲୁ ତୁ ପ୍ରମାଣ ରେ ଅନୁଜ.... ୧୯...

 

ଏବେ ହୋଇବ ଯେବେ ସକାଳ

ହେବେ ସକଳେ ଏଥି ମିଳିତ

ଜାମ୍ବବାନ ଆଉ ସୁଗ୍ରୀ ହନୁମାନ

ନଳ ନୀଳ ବିଭୀଷଣ ରେ ଅନୁଜ....୨୦...

 

ସର୍ବ ମୁଖେ ଏକା କଥା ଥିବ

ରାମ ହୀନ ଲକ୍ଷ୍ମଣ ମହାନ

ଶୁଣି ପାରିବୁକି ଏ କଥା କେବେରେ

ମୋର ମଥା ହୋଇ ଯାଏ ନିତରେ...ଅନୁଜ... ୨୧..

 

ଉଠ ଉଠରେ ମୋର ଅନୁଜ

ଦେଖ ସେନା ହୋଇଲେଣି ସଜ

କହି ଥିଲୁ ପରା ଲକେଶ ନାଶିବୁ

କାଲି ରଣାଙ୍ଗନେ ବୀରବର ରେ ଅନୁଜ.... ୨୨...

 

ସୀତା ଆଣି ଦେବୁ ପାଶେ ମୋର

କାଟି ଦଇତ ପତିର ଶୀର

ଦଶଶୀର କାଟି ଭୂମିରେ ଲୋଟାଇ

ଦେବୁ ବିଜୟ ଟିକା ମଥାର...ରେ ଅନୁଜ... ୨୩...

 

ଏବେ ବୁଝିଲି କରିଛୁ ମାନ

ମାନ, ଭାଙ୍ଗି ଉଠରେ ଲକ୍ଷ୍ମଣ

ଦେଖ ତୋର ଭାଇଁ ଆକୁଳେ କାନ୍ଦଇ

ଲୁହ ପୋଛି ଦେ ରେ ମୋ ସଘନ..ରେ ଅନୁଜ... ୨୪..

 

ଶୋକ ଅନଳେ ରାମ ଜଳନ୍ତି

ପୁଣି ପାଉଁଶକୁ ସାଉଁଟନ୍ତି

ଅନୁଜ କିରତି ସମୁହ ଝୁରନ୍ତି

କହେ, ଉମେଶ ରାମ କାନ୍ଦନ୍ତି ରେ ଅନୁଜ... ୨୫..

 

***

 

 

ଷଷ୍ଠ ଛାନ୍ଦ

ରାଗ- ରାମକେରୀ

ବିଳାପ କରନ୍ତି ରାମ ହୋଇ ଶୋକାଧିର ।

 

ନୟନୁ ନିଗିଡ଼ି ଛୁଏଁ ଓଠ ଲୁହ ଧାର । ୧ ।

ହୃଦୟର କୋହ ଦୋହଲାଏ ବସୁନ୍ଧରା ।

 

ଭିଜାଏ ଧରିତ୍ରୀ ସାଜି ଲୁହ ନଈଧାରା । ୨ ।

ଅବତାରି ପୁରୁଷୋତ୍ତମ ହେଲେ ସଂସାରୀ ।

 

ସଂସାରର ଦୁଃଖ ତାଙ୍କୁ ହୋଇଲା ଯେ ଭାରି ।୩।

ପତ୍ନୀ ବିଛେଦରେ ଯାହା ହେଉଥିଲେ ଘାରି ।

 

ଭ୍ରାତାଙ୍କ ବିଚ୍ଛେଦ ଦୁଃଖ ଦିଏ ଅସୁମାରୀ ।୪।

ବିବେକ ବୁଦ୍ଧି ନିଜର ନପାରି ପ୍ରୟୋଗି ।

 

ହରାଇ ଥିଲେ ପତ୍ନୀଙ୍କୁ ଫଚବଟିରେ ବୈରାଗି ୫ ।

ବୃଥା ଯିଦ୍ କରିଥିଲେ ଜନକ ନନ୍ଦିନୀ ।

 

ମାୟାମୃଗ ଗୋଟିକକୁ ଧରି ଦେବେ ଆଣି ।୬।

ସେଦିନୁ ଯାଇଛି ପ୍ରିୟା ଦେଖି ନାହିଁ ମୁହିଁ ।

 

ଅଶୋକ ବନ ମଧ୍ୟରେ ବୁହାଉଛି ଲୁହ ।୭।

ବୃଥା ମନର ଆକାଂକ୍ଷା ପୂରା କରିବାକୁ ।

 

ଆଜି ମଧ୍ୟରାତ୍ରେ ହରାଇଲି ଅନୁଜକୁ ।୮।

ଏହି ତ ଅଟଇ ମୋହ ବୋଲେ ଜଗ ଯାରେ ।

 

ଘାଂଟି ହୁଅନ୍ତି ଶ୍ରୀରାମ ପଡ଼ି ମୋହରେ ।୯।

ବିଦ୍ୱାନ ବୋଲନ୍ତି ରହିବାକୁ ବହୁ ଦୂରେ ।

 

ମୋହ ମାୟା କାମିନୀ କାଂଚନର ଲୋଭରେ ।୧୦।

ସମସ୍ତ ବୁଦ୍ଧି ବିଦ୍ୟା ହରନ୍ତି ଏହି ଚାରି ।

 

ଅନ୍ତର ମଧ୍ୟର ଆତ୍ମାକୁ ଦିଅନ୍ତି ଯେ ମାରି ।୧୧।

ମାୟା ଲୋଭରେ ପଡ଼ିଣ ସଂସାରୀ ଯେତେକ ।

 

କରନ୍ତି ଅନ୍ୟାୟ ଆଉ ଭୁଲନ୍ତି ବିବେକ ।୧୨।

ଧନ ଅରଜନ ଆଉ ଜଶ ଅରଜନ ।

 

କରନ୍ତି ଥୋକାଏ କାଟି ବଂନ୍ଧୁ ପ୍ରିୟଜନ ।୧୩।

କୁଉପାୟରେ ଜଣକୁ କରି ଦେଇ ଛୋଟ ।

 

ଥୋକାଏ ସଂସାରେ ବୋଲାଅନ୍ତି ଖୁବ ବଡ଼ ।୧୪।

ମାତ୍ର ଅଚିରେ ସଂସାରେ ସେ ପଡ଼ନ୍ତି ଧରା ।

 

ଧୋକା ଦେଇ ହରିଥାନ୍ତି ସୁଖର ପସରା ।୧୫।

ସେହି ନ୍ୟାୟରେ ଶ୍ରୀରାମ ବାତୁଳ ହୋଇଣ ।

 

କାନ୍ଦୁଛନ୍ତି ନିଜ ଅନୁଜକୁ ହରାଇଣ ।୧୬।

ମିଳୁନି ଉପାୟଟିଏ କରିବେ ଶ୍ରୀରାମ ।

 

ଲକ୍ଷ୍ମଣ କୁମାର ଉଠିବେ ହୋଇଣ ସାଷ୍ଟାମ ।୧୭।

ଏମନ୍ତ କାଳେ ଦେବର୍ଷ ଗମନ୍ତେ ଗଗନେ ।

 

ପଡ଼ିଲା ଆର୍ତ୍ତ ସୀତ୍କାର ନାରଦଙ୍କ କାନେ ।୧୮।

ଭୂପରେ ନିରେଖ୍ ଯେବେ ଦେବର୍ଷି ଦେଖନ୍ତି ।

 

ଆକୁଳେ ବାହୁନି ରାମଚନ୍ଦ୍ର କାନ୍ଦୁଛନ୍ତି ।୧୯।

କ୍ଷଣିକରେ ନାରଦ ଯେ ଜ୍ଞାତ ହେଲେ ସର୍ବ ।

 

ମର୍ତ୍ତେ ଅବତରି ରାମ ହେଲେ ମୋହଗ୍ରସ୍ତ ।୨୦।

ଚିହ୍ନନ୍ତି ନାହିଁ ସେ ନିଜ ଅସଲ ରୂପକୁ ।

 

ମାୟା ମୋହେ ପଡ଼ି ଭୁଲିଛନ୍ତି ସେ ସର୍ବକୁ ।୨୧।

ଖରେ ଖରେ ମୁନି ଶ୍ରେଷ୍ଠ ନାରଦ ଆସନ୍ତି ।

 

ମର୍ତ୍ତ୍ୟରେ ଓହ୍ଲାଇ ଆଗେ ଶ୍ରୀରାମେ ମିଳନ୍ତି ।୨୨।

ନାରାୟଣ ନାରାୟଣ ଉଚ୍ଚାରି ନାରଦ ।

 

ପାଶେ ମିଳି ଶ୍ରୀରାମଙ୍କୁ ପଚାରନ୍ତି ଭେଦ ।୨୩।

ମୁନିଙ୍କୁ ଦେଖିଣ ରାମ ତତକ୍ଷଣେ ଉଠନ୍ତି ।

 

ନୟନୁ ଲୋତକ ପୋଛି ଦଣ୍ଡବତ ହ୍ୟନ୍ତି ।୨୪।

କୁଶଳ ବାର୍ତ୍ତା ପୁଛନ୍ତେ ମୁନୀ ଶ୍ରୀରାମଙ୍କୁ ।

 

ରୋକି ପାରିଲେନି ରାମ ଲୋତକ ବନ୍ୟାକୁ ।୨୫।

ଶୋକାର୍ଦ୍ର କଣ୍ଠରେ କହେ ଆହେ ବ୍ରହ୍ମାପୁତ୍ର ।

 

କିମ୍ପାଇ ପଚାର ସର୍ବ ଦୁଃଖ ସମାଚାର ।୨୬।

ତୁମେ ମୁନିବର ସାରା ସଂସାର ବୁଲୁଛ ।

 

ପୁଣି ଯୋଗବଳେ ସାରା ଘଟଣା ଜାଣୁଛ ।୨୭।

ତୁମକୁ ଅଛପା କିସ ଆହେ ବ୍ରହ୍ମା ପୁତ୍ର ।

 

କାରଣ ପଚାର କିମ୍ପା ଲୁହ ପୂର୍ଣ୍ଣ ନେତ୍ର ।୨୮।

ପ୍ରଦୋଷେ କ୍ଷେତ୍ରରୁ ଫେରି ପ୍ରକ୍ଷାଳନ୍ତେ ପଦ ।

 

ଶୁଣିଲି କର୍ଣ ବିରହୀ ଚକ୍ରବାକର ଶବଦ ।୨୯।

କହିଲି ରେ ଚକ୍ରବାକ ଆମ ସମ ଦିଶା ।

 

ସୀତାଙ୍କ ମୁଖଟି ମୋତେ ଦିଶିଲା ସହସା ।୩୦।

ଅନୁଜରେ ଡାକି ଆଦେଶିଲି ବେଗେ ।

 

ଅଶୋକ ବନକୁ ଯାଇ ଦେଖିଆସି ଆଗେ ।୩୧।

କେମିତି ଅଛନ୍ତି ମୋ ପ୍ରିୟା ଜନକ ନନ୍ଦିନୀ ।

 

କି କରୁଅଛନ୍ତି ସେ ଠାବେ ହୋଇଣ ବନ୍ଦିନୀ ।୩୨।

ଆଦେଶ ପାଳିବା ପାଇଁ ମୋ ପ୍ରିୟ ଅନୁଜ ।

 

ଅଶୋକ ବନେ ଲୁଚି ସେ ଯାଇଥିଲା ଆଜ ।୩୩।

ଶିଂଶପା ବୃକ୍ଷ ମୁଳକୁ ଯାଇଥିଲା ବୀର ।

 

ଦେଖିଲା ସତୀଙ୍କୁ ପୂଜା କରେ ଦଶଶୀର ।୩୪।

ଜାଣିଣ ରାବଣ କଲା ବାରଣ ସତ୍ଵରେ ।

 

ସତୀ ପୂଜନ ଖବର ନ କହିବ କାରେ ।୩୫।

ଆଜ୍ଞାର ଅଧିନ ସତ୍ୟ ପ୍ରିୟ ଭାଇ ମୋର।

 

ମୋ ପାଶେ ପ୍ରକାଶ କରି ହୋଇଲାକ କ୍ଷାର ।୩୬।

ଭୋମୁନି ମୁହିଁ ବାତୁଳ ଲକ୍ଷ୍ମଣେ ପେଶିଲି।

 

ଅନର୍ଥ ଅନାବଶ୍ୟକେ ତା ପ୍ରାଣ ନାଶିଲି ।୩୭।

ମୋ ସୁଖ ଆଶାରେ ମୋର ଅନୁଜର ପ୍ରାଣ ।

 

ଯାଇଛି ଭୋ ମୁନି ଦେଖ ଏହିତ ପ୍ରମାଣ ।୩୮।

କି ବୁଦ୍ଧି କରିବି ଏବେ ବୁଦ୍ଧି ନ ଦିଶଇ ।

 

କି କହି ପରିଜନଙ୍କୁ ତୋଷିବଇଁ ମୁହିଁ ।୩୯।

ପ୍ରତ୍ୟୁଷ ହେବାକୁ ଆଉ ଅଳ୍ପ କାଳ ବାକି ।

 

ବନ୍ଧୁ ପରିଜନ ସର୍ବେ ହୋଇବେ ଏକାଠି ।୪୦।

ସଭିଏ ଏ ଦୃଶ୍ୟ ଦେଖି ହେବେ ମର୍ମାହତ ।

 

ସର୍ବ ବଖାଣି ଦେଲେ ମୁଁ ହେବି ମର୍ମାହତ ।୪୧।

ଏଥକୁ ଉପାୟ ଥିଲେ କହ ମୁନିବର ।

 

କି କଲେ ଉଠିବ ମୋର ଲକ୍ଷ୍ମଣ କୁମାର ।୪୨।

ଏମନ୍ତେ ବିଳାପ ଶୁଣି କହନ୍ତି ନାରଦ ।

 

ଦୁଃଖ ହେଲା ମନ ମୋର ଶୁଣି ଏହି ଭେଦ ।୪୩।

ଏଥକୁ ଉପାୟ ମାତ୍ର ଡାକ ରାବଣକୁ ।

 

ଫେରାଇ ନେଉ ସେ ଆସି ତା ବ୍ରହ୍ମଶାପକୁ ।୪୪।

ଅନ୍ୟଥା ଲକ୍ଷ୍ମଣ ଜୀବ ନ ପାଇବ କେବେ ।

 

ନିତ୍ୟେ ତୁମ ନିନ୍ଦା ସର୍ବେ କରିବେଟି ଭବେ ।୪୫।

ଶୁଣି ଗୀର ବୋଲେ ବୀର କୌଶଲ୍ୟା ନନ୍ଦନ।

 

କି ଶୁଣିଲି, କି କହିଲ ହେ ବ୍ରହ୍ମା ନନ୍ଦନ ।୪୬।

ଦୁଷ୍ଟାତ୍ମା ରାବଣ ମୋର ସୀତାଙ୍କୁ ହରିଛି ।

 

ଜାଣେନା କି କିଛି ସେ ତା ପୂଜା କରୁଅଛି ।୪୭।

ମାୟାବୀ ରାକ୍ଷସ ବୋଲି ପରିଚୟ ତାର ।

 

କେ ଜାଣେ ଏ ରୂପ କେଉଁ ମାୟାଟି ତାହାର ।୪୮।

ସୀତା ଉଦ୍ଧାରିବା ପାଇଁ ଏ ମହାସମର ।

 

କରୁଅଛି, ରାବଣ ଯେ ପ୍ରତିଦ୍ୱନ୍ଦୀ ମୋର ।୪୯।

ପରସ୍ପର ଶତ୍ରୁ ବୋଲି ବିନାଶ ଇଚ୍ଛାରେ ।

 

ଦୀର୍ଘଦିନ ହେଲା ଆମ୍ଭେ ମାତିଛୁ ସମରେ ।୫୦।

ନିହତ ହେଲେଣି କେତେ ଉଭୟ ପକ୍ଷରୁ ।

 

ସେନା ସେନାପତି ଆଉ ଘୋଟକ ଗଜରୁ ।୫୧।

କେତେ ପୁତ୍ର, ଭ୍ରାତା, ଆଉ ସଖା ସହୋଦର ।

 

ହରାଇ ସାରିଛି ସେ ଯେ ରାବଣ ଅସୁର ।୫୨।

ଏମନ୍ତ କାଳେ ଭୋ ମୁନି କୁହ ଡାକିବାକୁ ।

 

କେମନ୍ତେ ଡାକିବି କୁହ ମୋହର ଶତ୍ରୁକୁ ।୫୩।

ତାକୁ ମୁଁ ଡାକିବି ଯେବେ ମୋର ଶିବିରକୁ ।

 

ଆସେ କିବା କେବେ କେହି ଶତ୍ରୁ ଶିବିରକୁ ।୫୪।

ଆବର ଜାଣିଛି ସିଏ ସୁମିତ୍ରା ନନ୍ଦନେ ।

 

ଶତ୍ରୁପଣେ ମାରିଛି ତା ସୈନ୍ୟ କେତେ ରଣେ ।୫୫।

ଲକ୍ଷ୍ମଣ ବିନାଶ ଜାଣି ହେବ ନି କି ଖୁସି ।

 

ବିନା ଯୁଦ୍ଧ ପାରିଛି ସେ ଶିତୁ ଏକ ନାଶି ।୫୬।

ଏଣୁ ସନ୍ଦେହ ମୋ ମନେ କୁହ କରି ସତ ।

 

ସଂଦେଶ ଦେଇ ଡାକିବା ହେବ କି ଉଚିତ ।୫୭।

ଶୁଣିଣ ନାରଦ ମୁନି ଧୀରେ ହସି ଦ୍ୟନ୍ତି ।

 

ନାରାୟଣ ନାରାୟଣ ମୁଖେ ଉଚ୍ଚାରନ୍ତି ।୫୮।

ଶ୍ରୀରାମ ମୂଖକୁ ଚାହିଁ ସ୍ୱର୍ଗୋକ୍ତି କରନ୍ତି ।

 

ଧନ୍ୟ ପ୍ରଭୁ ନାରାୟଣ ଧନ୍ୟ ତୋ କିରତି ।୫୯।

ତୁହି ନିଜେ ଭିଆଇଛୁ ସକଳ ଲୋକକୁ ।

 

ମାୟା, ମୋହ, ଦୟା, କ୍ଷମା,ସକଳ ଗୁଣକୁ ।୬୦।

ନିଜ ମାୟାରେ ମୋହିତ ହୋଇ ସବୁ ଭୁଲି ।

 

ହେଉଛୁ ନିଜ ଭିଆଣ ଭିତରେ ବାଉଳି ।୬୧।

ସଂସାରଟା ଗୋଟା ହୋଇ ଅଛି ଆଚ୍ଛାଦିତ ।

 

ମୋହ, ମାୟା, ଅହଂ ଆଦି ଦୁର୍ଗୁଣ ଯେତେକ ।୬୨।

ସଂସାରୀ କେବେ ହେଁ ବୁଝି ପାରେ ନାହିଁ ଭେଦ ।

 

ମୋହ ମାୟା ଅହଂ ଆଉ ଦେବର ପ୍ରଭେଦ ।୬୩।

ମୁଁ କରିଛି, ମୁ କରୁଛି ସଦା ଗାଉଥାଇ ।

 

ଜାଣେ ନା ତା ଆଜ୍ଞା ବିନା ପତ୍ର ନ ହଲଇ ।୬୪।

କରି ତ କରାଉ ଥାଏ ସେଇ ଏକା ଜଣେ ।

 

ବୈକୁଣ୍ଠେ ବସିଛି ବୋଲି ଜାଣନ୍ତି ଆପଣେ ।୬୫।

ସଂସାରୀ ଆପଣାଏ ଯେତେକ ଦ୍ରବ୍ୟମାନ ।

 

ସେ ସମସ୍ତ ଅଟେ ସେହି ପ୍ରଭୁଙ୍କ ଭିଆଣ ।୬୬।

ମିଛରେ ଗୋଟାଇ ଯେତେ ଦ୍ରବ୍ୟ ପୁରାତନ ।

 

ସଂସାରୀ ପାଏ ସୁଖ ତାକୁ କହିଣ ନୂତନ ।୬୭।

ଉପାୟ ପାଂଚିଣ କରି ତାକୁ ଯେନ ତେନ ।

 

ଦ୍ରବ୍ୟ ହାସଲ କରଇ ଏହି ତ ଜୀବନ ।୬୮।

ଢମ ପଣେ ଗର୍ବ କାଢ଼େ ମାଲିକ ବୋଲାଇ ।

 

ନ ଜାଣେ ସର୍ବର ମାଲିକ ଏକୁଟିଆ ସେହି ।୬୯।

ତାଙ୍କର ଇଚ୍ଛାରେ ହୁଏ ସର୍ବ ଆତଃ ଯାତ ।

 

ତା ବିନା ଆଜ୍ଞାରେ କେବେ ନ ବହଇ ବାତ ।୭୦।

ଏଥେ କୌଶଲ୍ୟା ନନ୍ଦନ ଏହି ପ୍ରକାରେଣ ।

 

କାନ୍ଦନ୍ତି ଆତୁରେ ନଜାଣି ସର୍ବର କାରଣ ।୭୧।

ମରିଂ ଦେହ ବୋହି ଯେଣୁ ହୋଇଛନ୍ତି ଜାତ ।

 

ଏଣୁ ମୋହ ମାୟାରେ ହୁଅନ୍ତି ଆଛାଦିତ ।୭୨।

ଆକଟ କରି କହନ୍ତି ରାମ ବଦନରେ ଚାହିଁ।

 

ଚିଟାଉ ଲେଖ ରାବଣ ନିଶ୍ଚେ ଆସିବଇଁ ।୭୩।

ମାୟାବୀ ରାକ୍ଷସ ହେଲେ ଜାଣେ କ୍ଷତ୍ରୀଧର୍ମ ।

 

ବିଶ୍ୱାସ କରି ଆସିବ ନ ବଧିବ ରାମ ।୭୪।

ପ୍ରତ୍ୟକ୍ଷ ସମର ଏତ ହୁଏ ଦିବାକାଳେ ।

 

ଅସ୍ତ୍ର ଧରିବା ଉଚିତ ନୁହେଁ ରାତ୍ର କାଳେ ।୭୫।

ଛାତିରେ ମାରିବ ଅସ୍ତ୍ର ନୁହେଁ ତା ତଳକୁ ।

 

ପଛରୁ ଆଘାତ ସୁଚାଏ କାପୁରୁଷତାକୁ ।୭୬।

ଆବର ଭୀରୁ ନୁହଁଇ ସେ ବୀର ପୁଙ୍ଗବ ।

 

ପଣେ ଯୁଦ୍ଧ କରୁଛି ସେ ସମରେ ଜିଣିବ ।୭୭।

ବିଶ୍ରବା ନନ୍ଦନ ସେତ ବିଜ୍ଞାନୀ ପୁରୁଷ ।

 

ଚିଟାଉ ପାଇଲେ ନିର୍ବେ ହୋଇବ ହରଷ ।୭୮।

ତେଣୁ ହେ ଶ୍ରୀରାମ ବେଗେ ଲେଖ ପତ୍ର ଏକ ।

 

ବେଗେ ଯିବି ମନଯାନେ ଆକାଶ ମାର୍ଗକ ।୭୯।

ଘେନି ମୁଁ ଆସିବି ବେଗେ ବିଶ୍ରବା ନନ୍ଦନେ ।

 

ଆସିଲେ ପ୍ରାର୍ଥିବ ତାରେ ଶାପ ଫେରାଇନେ ।୮୦।

କରିବନି ମନା କେବେ ନିକଷା ନନ୍ଦନ ।

 

ଉଠିବ ଭ୍ରାତା ଲକ୍ଷ୍ମଣ ମଳିଣ ନୟନ ।୮୧।

ଏତେ କହି ନାରଦ ଯେ କଲେ ନିବେଦନ ।

 

ଚିଟାଉ ଲେଖିବା ପାଇଁ ରାବଣେ ସଘନ ।୮୨।

ନାରଦ କଥନ ଶୁଣି ଦଶରଥ ପୁତ୍ର ।

 

ଉମେଶ କହଇ ଲେଖି ବସିଲେକ ପତ୍ର ।୮୩।

 

***

 

ସପ୍ତମ ଛାନ୍ଦ

ରାଗ- କଳହଂସ କେଦାର

(ଶ୍ରୀରାମଙ୍କ ଚିଟାଉ ଲେଖନ ଏବଂ ନାରଦ ହସ୍ତେ ଲଙ୍କେଶ ନିକଟକୁ ପ୍ରେରଣ)

 

ଓମ୍ ନମ ଶିବାୟ, ଶିରେ ଲେଖିଲେ ।

 

ସମ୍ମାନେ ସମ୍ବୋଧନୀ ଆରମ୍ଭ କଲେ ।୧।

ଆହେ ବିଶ୍ରବା ସୂତ, ହେ ମହାଜ୍ଞାନୀ ।

 

ଘେନିବ ପ୍ରଣିପାତ ହେ ମହାମାନୀ ।୨।

ତୁମେ ଯେ କୁଳାଶେଷ ପୁଲସ୍ତ୍ୟଙ୍କର ।

 

ଅଗସ୍ତ୍ୟଙ୍କ ଅନୁଜ ପିତା ଯାହାର ।୩।

କୁବେର, ବିଭୀଷଣ ଯେ କୁମ୍ଭକର୍ଣ୍ଣ ।

 

ଭ୍ରାତା ସମୁହ ତୁମ ଅତି ମହାନ ।୪।

ସ୍ୱପ୍ରଜ୍ଞା ବଳେ ତୋଷି ବ୍ରହ୍ମାଦେବଙ୍କୁ ।

 

ଅର୍ଜିଛି ଶକ୍ତି ଅମାପ ନିଜ ବପୁକୁ ।୫।

ବିଜ୍ଞାନ ବଳେ ଜିଣିଛ ସାରା ଧରା ।

 

ସ୍ଵର୍ଗ ମର୍ତ୍ତ୍ୟ ସହିତେ ତ୍ରିଲୋକ ସାରା ।୬।

ଦେବ ଗଣ ସଦା ଯା ପାଦେ ଖଟନ୍ତି ।

 

ଦେବଗୁରୁ ଯାହାରେ ମାନ ଦିଅନ୍ତି ।୭।

ତାକୁ କି ମାନ୍ୟ ଦେବି ମୁଁ ଛାର ନର ।

 

ନ ବୁଝି ଅନ୍ୟ ଅର୍ଥ ଘେନିବ ସାର ।୮।

ପଡ଼ି ସଂକଟେ ଆଜି ଡାକେ ତୁମକୁ ।

 

ସଦୟ ହୋଇ ବାରେ ଘନ ଶ୍ରୁତିକୁ ।୯।

ଲେଖି ଚିଟାଉ କରେ ରାମ ଜଣାଣ ।

 

ପତ୍ର ପଢ଼ିଣ ଏଥେ ଆସ ସଘନ ।୧୦।

ଆଜ ପ୍ରଦୋଷେ ଚକ୍ରବାକରେ ଶୁଣି ।

 

ଜାନକୀ କଥା ଭାଳି ହୋଇଲି ଦୁଃଖୀ ।୧୧।

ଜିଜ୍ଞାସା ହେଲା ସଖୀ ଖବର ପାଇ ।

 

ଅନୁଜରେ ପେଶିଲି ଦେଖିବା ପାଇଁ ।୧୨।

ଯେଣୁ ସେତୁ ବନ୍ଧର ଅପର ପାର୍ଶ୍ୱେ ।

 

ଅଶୋକ ବନେ ସ୍ଥିତ ଶିଶଂପା ପାଶେ ।୧୩।

ରହିଛି ପ୍ରିୟା ମୋର ଅକିଂଚନରେ ।

 

ବୋଇଲି ଦେଖିଆସ ଯାଇ ଗୁପ୍ତରେ ।୧୪।

ଯାଇଥିଲା ଅନୁଜ ମୋର ଆଦେଶେ ।

 

ସତୀଙ୍କର ସଂଦେଶ ଆଣିବା ଆଶେ ।୧୫।

ତହିଁ ଦେଖିଲା ତୁମ ସତୀ ପୂଜନ ।

 

ଜାଣି ପ୍ରକାଶିବାକୁ କଲ ବାରଣ ।୧୬।

ଆବର ବ୍ରହ୍ମଶାପ ଦେଲ ତାହାରେ ।

 

ଭସ୍ମ ହୋଇବ ଯଦି ପ୍ରକାଶ କରେ ।୧୭।

ସେ ସତ୍ୟବାଦୀ ମୋର ପ୍ରିୟ ଅନୁଜ ।

 

ପ୍ରକାଶି ଦେଲା ସତ୍ୟ ଯେଣୁ ଅଗ୍ରଜ ।୧୮।

କର୍ତ୍ତବ୍ୟ ତା ପାଳନ ଅଗ୍ରଜାଦେଶ ।

 

ଏଣୁ ସେ ବୀରବର କଲା ପ୍ରକାଶ ।୧୯।

ଜାଣି ସୁଦ୍ଧା ସେ ଅଟଇ ଶାପଗ୍ରସ୍ତ ।

 

ଭସ୍ମ ହୋଇବ ପ୍ରକାଶିଲେ ସେ ସତ ।୨୦।

ସତ୍ୟ ପ୍ରକାଶ କଲା ଭସ୍ମ ହୋଇଲା ।

 

ତୁମର ବାକ୍ୟ ଅନ୍ୟଥା ନ ହୋଇଲା ।୨୧।

ଜାଣିବାରୁ ଦ୍ୱିତୀୟ ବ୍ୟକ୍ତି ଗୁପତ

 

ବ୍ରହ୍ମଶାପ ତୁମର ହେଲା ଫଳିତ ।୨୨।

ଏବେ ଲୋଟୁଛି ବୀର ହୋଇ ପାଉଁଶ ।

 

କି କରିବି ହୋଇଛି ମୋ ବୁଦ୍ଧି ନାଶ ।୨୩।

ଖରେ ଯାଆନ୍ତେ ଦେବଋଷି ନାରଦ ।

 

ଶୁଣି ମୋର ବିକଳ କ୍ରନ୍ଦନ ଶବ୍ଦ ।୨୪।

ପଧାରିଲେ ସମିପେ କଲେ ଜିଜ୍ଞାସା ।

 

କି କାରଣେ କ୍ରନ୍ଦନ ଜାଣିବା ଆଶା ।୨୫।

ଫିଟାଇ କହିବାରୁ ଏ ଉପଦେଶ ।

 

ଦିଅନ୍ତେ ଏ ଚିଟାଉ ଲେଖେ ଅବଶ୍ୟ ।୨୬।

କହନ୍ତି ଏ ମୁନିଶ୍ରେଷ୍ଠ ତୁମେ କେବଳ ।

 

ବଂଚାଇବାରେ ଭ୍ରତା ଅଟ ସମ୍ବଳ ।୨୭।

ଆସିଣ ଏଥେ ଯେବେ ନେବ ଫେରାଇ

 

ବ୍ରହ୍ମଶାପ ତୁମର ଉଠିବ ଭାଇ ।୨୮।

ଅନ୍ତର୍ମନ ଦେଶ ଭାଇ କହିଛି ।

 

ଆସିବ ନିଶ୍ଚେ ମନେ ଆଶା ପୋଷିଛି ।୨୯।

ସର୍ବୋଗଚରେ ତୁମେ ସୀତା ପୂଜୁଛ ।

 

ଗୋପନେ ମାତା ସମ୍ବୋଧନ କରୁଛି ।୩o।

ଆଶା ସୃଜିଛି ମନେ ଭ୍ରାତା କଥନ ।

 

ଆସହେ ବୀରବର ନ କର ଆନ ।୩୧।

ଜାଣିବ ମୋ ମନର ବ୍ୟଥା ସମୁହ ।

 

ଭ୍ରାତା ପତ୍ନୀ ହରାଇ, ଉଠଇ କୋହ ।୩୨।

ଅପର କାର୍ଯ୍ୟ ଯେବେ ଆସଇ ଜନ ।

 

ସାର୍ଥକ ହୁଏ ତାର ଜାଣ ଜୀବନ ।୩୩।

ସଂସାରେ ନିଜ କାର୍ଯ୍ୟ ସର୍ବେ ମଗନ ।

 

ଅନ୍ୟର ବ୍ୟଥା କଥା ଜାଣେ ଯେ ଜନ ।୩୪।

ସେହି ଏକା ମହତ ଅନ୍ୟଥା ବୃଥା ।

 

ଜୀବନ ପରିଣାମ ତାହାର ଯଥା ।୩୫।

ତୁମେ ତ ମହାଜ୍ଞାନୀ ବ୍ରାହ୍ମଣ ଶ୍ରେଷ୍ଠ ।

 

ଭରମେ ବ୍ୟଥାତୁରେ ଦିଏ ମୁଁ କଷ୍ଟ ।୩୬।

କ୍ଷମିଣ ଅପରାଧ ଆସିବ ଶିଘ୍ର ।

 

ଅନୁଜରେ ନ ଦେଖ୍ ପ୍ରାଣ ମୋ ବ୍ୟଗ୍ର ।୩୭।

ନାରଦ ମୁନିବର ହାତେ ସଂଦେଶ ।

 

ପଠାଇ ଦେଉଛି ମୁଁ ଆହେ ଲଙ୍କେଶ ।୩୮।

ପ୍ରାତଃ ହେବା ପୂର୍ବରୁ ଆସିବ ଖରେ ।

 

ଖରେ ଚଢ଼ି ତୁମର ବ୍ୟୋମଯାନରେ ୩୯ ।

ଫେରାଇ ନେବ ତୁମ ଅଭିଶାପରେ ।

 

ନ ଜାଣିବେ ସ୍ୱଜନେ ଏ ବିଷୟରେ ।୪୦ ।

ଗୁପତ କଥା ତୁମ ଗୁପ୍ତ ରହିବ ।

 

ଅନ୍ୟଥା ହେଲେ ବଡ଼ ଅନର୍ଥ ହେବ ।୪୧।

ଗୁପ୍ତ କର୍ମ ତୁମର ହେବ ପ୍ରକାଶ ।

 

ମୋ କର୍ମ ମଧ୍ୟ ହୋଇବ ଉପହାସ ।୪୨।

ଉଦ୍ଦେଶ୍ୟ ପୂଜାର ନା ପୂରଣ ହେବ ।

 

ତିରସ୍କାର କେବଳ ମୋତେ ମିଳିବ ।୪୩ ।

ଏଣୁ ଯାଚନା କରେ ନିତ୍ୟେ ଆସିବ ।

 

ଭ୍ରାତାଙ୍କ ପ୍ରାଣ ବାରେ ରକ୍ଷା କରିବ ।୪୪।

ଏତେ ଲେଖିଣ ରାମ ଦେଇ ସନ୍ତକ ।

 

ମୁନିଙ୍କୁ ଚାହିଁ କହେ କର ସାର୍ଥକ ।୪୫।

ପତ୍ର ଦେଇ ରାବଣେ ଆଣ ସାଥିରେ ।

 

ଫେରାଇ ନେଉ ଶାପ ଦେଉ ଜୀବରେ ।୪୬।

ପତ୍ର ଘେନିଣ ମୁନି ହରଷ ହ୍ୟନ୍ତି ।

 

ନାରାୟଣ ନାରାୟଣ ଉଚ୍ଚାରନ୍ତି ।୪୭।

 

ମନ ଯାନେ ଚଢ଼ିଣ ବେଗେ ଯାଆନ୍ତି ।

 

ଉମେଶ କହେ ନଭ ରକ୍ତିମ ହ୍ୟନ୍ତି ।୪୮

***

 

 

ଅଷ୍ଟମ ଛାନ୍ଦ

ରାଗ-କାମୋଦୀ

 

ନାରଦ ମୁନିବର

 

 

ମନ ଯାନେ ସତ୍ୱର

ଗମିଲେ ଲଙ୍କେଶ ନଗରେ ।

ନିମିଷକ ମଧ୍ୟରେ

 

 

ପହଂଚିଗଲେ ଖରେ

ରତନ କଟକ ମଧ୍ୟରେ ।

ସେ ମଧ୍ୟ ରାତ୍ର,

ନଗର ଶୋଇଛି ନିଦ୍ରାରେ,

ସ୍ଥାବର ଜଙ୍ଗମ ଆବରେ

ଭୋଗନ୍ତି ରାତ୍ରସୁଧା

 

 

ବିଶ୍ରାମି ଅବୟବା

ମନ ମସ୍ତିଷ୍କ ଅଚିନ୍ତାରେ । ୧ ।

ରତନ କଟକର

 

 

ନଗ୍ରବାସୀ ଯେତେକ

ରାବଣ ବଂଶଜ ରାକ୍ଷସ ।

ଆଜି ଶେଷର ଶ୍ଳେଷ

 

 

କରିଣ ନିବାରଣ

ଆହାରି ସୋମରସାମିଷ ।

ସୁଖେ ଶୋଇଛି

ସାରା ନଗ୍ରକୁ ନିଦ୍ରା ଘାରିଛି

ଆକାଶେ ତିମିର ବ୍ୟାପିଛି

ଦିବସ ଦୁଃଖ ଯାକ      

 

 

ପାଶୋରି ମନ ସୁଖ

ସପନରେ ମଜି ଯାଇଛି । ୨ ।

ରାଜନ ନବରରେ

 

 

ରତନ ପଲଙ୍କରେ

ମନ୍ଦୋଦରୀ ରାଣୀ ପାର୍ଶ୍ଵରେ ।

ରାକ୍ଷସକୁଳ ମଣି

 

 

ନିକଷା ଧନମଣି

ବିରାଜେ ଶୋଇବା ଆଶାରେ ।

ସେ ନିଦ୍ରାରାଣୀ

ପାଖ ନ ମାଡ଼ନ୍ତି ତାଠାରେ

ଦୂରେଇ ରହନ୍ତି ଡରରେ

ଚିନ୍ତା ତା ଅରି ଯେଣୁ

 

 

ଜଗାଏ ନିଦ୍ରା ତେଣୁ

ଦଶାନନ ଶୋଇ ନ ପାରେ । ୩ ।

ଅଦ୍ୟ ମଧ୍ୟ ରାତ୍ରର

 

 

ଘଟଣା ବଳୀ ଯାକ

ବିଚରନ୍ତି ଦୈତ୍ୟ ମାନସେ ।

କି ଯୋଗ ଥିଲା ଆଜ

 

 

ଦୀର୍ଘ ଦିନର ରାଜ

ପ୍ରକାଶ ପାଇଲା ଅପାତ୍ରେ ।

ସେ ସଉମିତ୍ରୀ

ଭଣି କି ଦେବ ଭ୍ରାତା ପାଶେ

ରଖିଣ ବଂଶରୀତି ଶେଷେ ।

ସେ ତ ରଘୁ ଦାୟାଦ

 

 

ଖୋଲି ଦେବ ମୋ ଭେଦ ।

ଅଗ୍ରଜ ଶ୍ରୀରାମଙ୍କ ପାଶେ । ୪ ।

ରଘୁକୁଳ ତିଳକ

 

 

ଦଶରଥ ନନ୍ଦନ

ଛନ୍ଦ କପଟ ନ ଜାଣେ ସେ ।

ଯେହୁ ଭ୍ରାତା ଆଦେଶେ

 

 

ପ୍ରବେଶେ ଅରି ବାସେ

ନିଶ୍ଚିତେ ଭଣିବ ଜିଜ୍ଞାସେ ।

ଶୁଣି ଜାଣିବେ,

କୌଶଲ୍ୟା ନନ୍ଦନ ମାନସେ ।

କି ଭାବ ପ୍ରକାଶିବେ ଶେଷେ ।

କି ବା ହେଜିବେ ନାଥ

 

 

ସେ ଜଗତର ନାଥ

ଭୁଲି ଏ ମର୍ତ୍ତ୍ୟର ରହସ୍ୟ । ୫ ।

କଲେ ପ୍ରକାଶ ଗୁପ୍ତ

 

 

ତଥ୍ୟ ବୀର ପୁଙ୍ଗବା

ହୋଇବ ମୋ ଶାପ ଫଳିତ ।

ଅଚିରେ ହେବ ଭସ୍ମ

 

 

ସେ କୁମାର ଲକ୍ଷ୍ମଣ ।

ବଳେ ଜାଣିବେ ସଚରାଚର ।

ବୃଥା ଗଲାଟି,

ତପସ୍ୟା ମୋ ଦୀର୍ଘକାଳର

ଚେଷ୍ଟା ଓ ନିତ୍ୟ ନିଷ୍ଠା ମୋର ଆବର

ଆବର ମୋ ଆକାଂକ୍ଷା

 

 

ପୂରଣ ନ ହୋଇବ

ଉପହାସିବେ ଜନେ ସାର ।୬।

ଏପରି ଭାବନାରେ

 

 

ଅସ୍ଥିର ସେ ଚିତ୍ତରେ

ନ ଶୋଇ କଡ଼ ଲେଉଟାଏ ।

ବାରମ୍ବାର ଶୋଚନା

 

 

କରେ ବୃଥା ବେଦନା

ଏଥକୁ ଉପାୟ ନ ପାଏ ।

ସେ ଦୈତ୍ୟରାଜ

ଅସ୍ଥିରୁ ଅସ୍ଥିର ସେ ହୁଏ ।

ମସ୍ତିସ୍କ ବିଚଳିତ ହୁଏ ।

ରଘୁକୁଳର ରୀତି

 

 

ପ୍ରାଣ ଠୁ ବଡ଼ ନୀତି

ସଦା ପାଳବା ସାର ଥାଏ ।୭।

ଏକାଳେ ସୁରମୁନି

 

 

ମନଯାନ ସବାରି

ଲଙ୍କେଶ ପାଶରେ ମିଳିଲେ ।

ନାରାୟଣ ଉଚ୍ଚାରି

 

 

ବୀଣା ତାର ଝକାରୀ

ରାବଣେ ଜାଗ୍ରତ କରିଲେ ।

ସେ ଦେବରଷି

ମର୍ତ୍ତରେ ଲୀଳା ଭିଆଇଲେ

ନାରାୟଣ ଶବ୍ଦ ବୋଇଲେ

ରାବଣ ଦେଖି ତାରେ

 

 

ଅତି ଆଶ୍ଚର୍ଯ୍ୟ ଭରେ

କି ହେଉଛି ଆଜ ଭାଳିଲେ ।୮।

ରାବଣ ଚକ୍ଷୁଫେଇ

 

 

ସ୍ଵନେତ୍ରରେ ଦେଖଇ

ଅଗ୍ରତେ ଉଭା ଦେବଋଷି ।

ଦେଖି ବ୍ରହ୍ମାପୁତ୍ରରେ

 

 

ଅତି ଆଶ୍ଚର୍ଯ୍ୟଭରେ ।

ପ୍ରଣମି ସମ୍ବାଦ ସମ୍ଭାଷୀ ।

ହେ ମୁନିବର

ଅସମୟରେ ଆଗମନ

ହେଲାକି କିଛି ଅଘଟଣ

କି କାର୍ଯ୍ୟ ଆସିଛନ୍ତି

 

 

ଫିଟାଇ କହିବେକି

କି ସେବା କରିବି ଏ କ୍ଷଣ ।୯।

ଶୁଣିଣ ଭକ୍ତଶ୍ରେଷ୍ଠ

 

 

କହେ ନ ପାଅ କଷ୍ଟ

ନିଅ ଏ ଶ୍ରୀରାମ ସଂଦେଶ ।

ଅନୁରୋଧ ତାଙ୍କର

 

 

ତୁମକୁ ଦଶଶୀର

ଯିବାକୁ ବାରେ ତାଙ୍କ ପାଶ ।

ହେ ଲଙ୍କେଶ୍ୱର

ତୁମ୍ଭର ବ୍ରହ୍ମଶାପ ବଳେ

ଲକ୍ଷ୍ମଣ ଲୋଟେ ଭୂମିପରେ,

ହୋଇଅଛି ସେ ଭସ୍ମ

 

 

ଦେଖି ରାମ ଅଜ୍ଞାନ

ବାହୁନି କାନ୍ଦନ୍ତି ଆତୁରେ ।୧୦

ହସ୍ତୁ ନେଇ ଚିଟାଉ

 

 

ରାବଣ ମହାବାହୁ

ଜାଣିଲେ ଶ୍ରୀରାମ ସଂଦେଶ ।

ହୃଦେ ବିଚାରେ ବୀର

 

 

ପ୍ରଭୂ ବିଷୟାଗ୍ରସ୍ତ

ଜୀବନେ ମରଣେ ଗ୍ରସୀତ ।

କୋଦଣ୍ଡଧାରୀ

ହୋଇ ବିଶ୍ୱ ନିୟନ୍ତା

 

 

ବିଶ୍ୱ ପାଳନକର୍ତ୍ତା

କାନ୍ଦନ୍ତି ହୋଇଣ ଦୁଃଖିତ ।୧୧।

ଆବର ଭାବେ ବୀର

 

 

ସେ ନିକଷା ନନ୍ଦନ

ମୋ ଯିବା ହେବ କି ଉଚିତ ।

ଶତ୍ରୁ ଶିବିର ସେତ

 

 

ମୋ ଯୋଗୁଁ ଭ୍ରାତା ହତ

ସଂଦେଶ ଛଳନା ନୁହେଁ ତ ।

ସେ ବିଂଶଭୁଜ

ବିଚାର କରନ୍ତି ସତତ,

ବଧିବ ଦଶରଥ ସୁତ

କ୍ରୋଧେ ସେ ଜର୍ଜରିତ

 

 

ହୋଇଥିବେ ନିଶ୍ଚିତ

ଦେଖି କରିବେ ମୋତେ ହତ । ୧୨ ।

ନିମିଷେ ବିଚାରନ୍ତି

 

 

ଏ କି ମୁଁ ଭାଳୁଅଛି

ଏହା ତ ନୁହଁଇ ସମ୍ଭବ ।

କ୍ଷତ୍ରି କୁଳ ପୁଙ୍ଗବ

 

 

ପୁରୁଷୋତ୍ତମ ରାମ

ଅନ୍ୟାୟ ଅଟେ ଅସମ୍ଭବ ।

ମାତ୍ର, ଭାଳଇ

ମାତୃପୂଜନ ବିଂଶପାଣି

କରିବା ବାର୍ତ୍ତା ଗଲେ ଜାଣି

ମନୋକାମନା ତାର

 

 

ହେବ କି ପୂର୍ଣ୍ଣକାମ

କି ବିଚାରିବେ ଯେ ରାଘବ ।୧୩।

ଦଶଶୀର ଚିନ୍ତଇ

 

 

ରଘୁବଂଶୀତ ଏଇ

ବଚନ ରକ୍ଷା ଯାର ଧର୍ମ,

ଜାଣି ମୃତ୍ୟୁ ନିଶ୍ଚିତ

 

 

ଅଗ୍ରଜେ କହି ସତ୍ୟ

ଲକ୍ଷ୍ମଣ ହୋଇଅଛି ଭଗ୍ନ ।

ସେ ସତ୍ୟାଗ୍ରହୀ

ସଂକଟେ ପଡ଼ି ଦିଏ ଦ୍ୱାହୀ,

ସଂଦେଶ ପେଶୀ କହେ ତ୍ରାହୀ

ଯିବି ତହିଁ ଅବଶ୍ୟ

 

 

ହେଲେ ହୋଇବି ନାଶ

ଶାପକୁ ଆଣିବି ଫେରାଇ ।୧୪।

ଏତେ କରି ଚିନ୍ତନ

 

 

ସେ ନିକଷା ନନ୍ଦନ

ବ୍ରାହ୍ମଣ ରୂପେ ଅବତରି ।

ବୋଲନ୍ତି ପିତାମହ

 

 

ହେଲାଣି ମୋ ଆଗ୍ରହ

ଯିବି ମୁଁ ହେଲେ ହେଁ ସେ ଅରୀ,

ହେ ମୁନିବର

ଅବଶ୍ୟ ଜାଣିବେ ସକଳ

ତଥାପି ହୋଇବ ମଙ୍ଗଳ

ଜାଣେ ମୁ କ୍ଷତ୍ରୀ ଧର୍ମ

 

 

ଅରୀ ନାଶିବା କର୍ମ

ସମର ବିନା ଅମଙ୍ଗଳ । ୧୫ ।

ପୁଷ୍ପକ ବିମାନରେ

 

 

ବିରାଜି କ୍ଷଣପରେ

ସୁବଳୟା ପାଦ ଦେଶରେ ।

ନାରଦଙ୍କ ସହିତେ

 

 

କୁଟିରେ ବିରାଜନ୍ତେ

ସେ ନାରାୟଣ ଉଚ୍ଚାରିଲେ ।

ସେ ରଘୁବଂଶୀ

ନୟନୁ ଲୋତକ ଶ୍ରାବଣୀ,

ପୋଛି କହନ୍ତି ଧିରେ ବାଣି

ଦେଖ ଅନୁଜ ମୋର

 

 

ତୁମ ଶାପ ଶିକାର

ବଂଚାଅ ଆହେ ବିଇଶ ପାଣି ।୧୬।

କର ହେ ଅନୁକମ୍ପା

 

 

ଦେଖ ବୋଲୁନି କିମ୍ପା

ଅନୁଜ ଲକ୍ଷ୍ମଣ କୁମାର ।

ମୁଁ ଛାର ନର ଗୀର

 

 

ବୋଲି ପେଶିଲି ଖର

ନେବାକୁ ସତୀଙ୍କ ଖବର ।

ସେ ସଉମିତ୍ରୀ

ଦେଖିଲା ପୂଜେ ଦଶଶୀର,

ମୁଖରେ ମାତାଙ୍କ ଉଚ୍ଚାର,

ସତ୍ୟନିଷ୍ଠ ମୋ ଭ୍ରାତା

 

 

କହି ସେହି ବାରତା

ଦେଖ ଲୋଟୁଛି ସେ ଭୂମିର ।୧୭।

ଦେଖ ମୋ ମନେ ଭୟ

 

 

ବେଗେ ଯାଏ ସମୟ

ସତେ କି ଉଠିବ କୁମାର ।

ଆବର ସହଚର

 

 

ଶୋଇଛନ୍ତି ସତ୍ଵର

ଉଠିଲେ କି ବୋଲିବି ଗୀର ।

ହେ ଦଶାନନ ।

କରି ଏହାର ସମାଧାନ,

ଶାପକୁ ଫେରାଇ ସଘନ

ଦେଖ ହାତ ପାତିଣ

 

 

କରୁଛି ଭିକ୍ଷା ଜାଣ

ଦିଅ ହେ ଅନୁଜେ ଜୀବନ ।୧୮।

ଲଙ୍କେଶ୍ଵର ସମ୍ମୁଖେ

 

 

ଶ୍ରୀରାମ ନତ ମୂଖେ

ମାଗନ୍ତେ ଅନୁଜ ଜୀବନ ।

ବ୍ରାହ୍ମଣ ମହାଜ୍ଞାନୀ      

 

 

ଦଶାନନ ବିଜ୍ଞାନୀ

ଭାବନ୍ତି ତୁ କେଡ଼େ ମହାନ

ହେ ରଘୁପତି

ଜାଣେ ତୁ ଅଟୁ ଲକ୍ଷ୍ମୀପତି ।

ମର୍ତ୍ତ୍ୟେ ହୋଇଛୁ ସୀତାପତି

ଭବ ମାୟାରେ ହଜି

 

 

ପାରୁନୁ ଆଜି ହେଜି

ସବୁର ନିୟନ୍ତା ତୁ ଈତି ।୧୯।

ବୋଲଇ ଦୃଢ଼େ ଗୀର

 

 

ଶୁଣ ହେ ସୀତା ବର

ଅବଶ୍ୟ ଫେଡ଼ିବଇଁ ଦୁଃଖ

ନେବି ଶାପ ଫେରାଇ

 

 

ଉଠିବ ତୁମ ଭାଇ

ମନରେ ସଂଶୟ ନରଖ ।

ହେ ରଘୁବଂଶୀ

ଅବଶ୍ୟ ତୁମ କତି ଆସି,

ନିଶ୍ଚେ ସୌମିତ୍ରୀ ଯୁବ ଭାଷି,

ତେଣୁ ହେ ନାରାୟଣ

 

 

ମୋର ସ୍ୱରୂପ ଜାଣ

ମୁଁ ଅଟେ ମୁକ୍ତିର ପିଆସି ।୨୦।

ଯେବେ କରିବ ସତ୍ୟ

 

 

ହୋଇବି କୃତ୍ୟ କୃତ୍ୟ

ମାଗି ବିଶେଷ ବରଦାନ

ପ୍ରକାରାନ୍ତେ ଫେରାଇ

 

 

ଶାପକୁ ନେବି ମୁହିଁ

ଲକ୍ଷ୍ମଣ ପାଇବ ଜୀବନ,

ହେ ସୀତାଈଶ

ତ୍ରିବାର ସତ୍ୟ କର ଈଶ ।

ନକର ଅଧିନେ ନିରାଶ ।

କରିବି ଯା ଯାଚନା

 

 

କରିବ ନାହିଁ ମନା

ପୂରଣ କରିବ ଅବଶ୍ୟ ।୨୧।

ଶୁଣି ରାବଣ ବାଣି

 

 

ହେଲେ କୋଦଣ୍ଡ ପାଣି

ଭାବନ୍ତି ଏବେ ନିସ୍ତରିଲି ।

ମନେ ଆସ୍ୱସ୍ତ ହୋଇ

 

 

ରାମଚନ୍ଦ୍ର ବୋଲଇ

ସତ୍ୟ, ସତ୍ୟ, ଯେ ସତ୍ୟ କଲି ।

ମନ୍ଦୋଦରୀଶ

ତ୍ରିବାର ସତ୍ୟ କଲି ମୁହିଁ

ଅନ୍ୟଥା କେବେ ହେବ ନାହିଁ

ବେଗେ ଦିଅ ଜୀବନ

 

 

ଉଠୁ ମୋର ଲକ୍ଷ୍ମଣ

ଭାବରେ ଉମେଶ କହଇ ।୨୨।

***

 

Image

 

 

ଶେଷ ଛାନ୍ଦ

 

ରାଗ କୌଶିକ

ରାମଙ୍କ ତ୍ରିବାର

 

 

ସତ୍ୟ ସ୍ୱୀକାରେଣ

ଲଙ୍କେଶ ମନେ ଆନନ୍ଦିତ ।

ଧନ୍ୟ ହେଲି ପ୍ରଭୁ

 

 

ଧନ୍ୟ କଲେ ମୋତେ

ବଚନେ ହୋଇଲି ତୋଷିତ ।

ହୋଇବ

ଉଦ୍ଦେଶ୍ୟ ଅବଶ୍ୟ ଫଳିତ ।

ନେଉଛି ଫେରସ୍ତ

 

 

ବ୍ରହ୍ମ ଅଭିଶାପ

ସଉମିତ୍ରୀ ହେଉ ଜୀବିତ । ୧ ।

ବୋଲି ଏତେ ଗୀର

 

 

ଦଶାନନ ବୀର

ସ୍ମରିଣ ଚତୁରାନନଙ୍କୁ ।

ହୋଇ ଧ୍ୟାନ ମଗ୍ନ

 

 

ମନ୍ତ୍ର ଉଚ୍ଚାରିଣ

ମନ୍ତ୍ରିତ କରି ମନ୍ଦ ଜଳକୁ ।

ଛିଂଚିଲେ,

ସଯତ୍ନେ ଥୋଇ କମଣ୍ଡଳୁକୁ,

ଆପାଦୁ ମସ୍ତକ

 

 

ସ୍ପର୍ଶ କରନ୍ତେଣ

ଜୀବନ ଫେରେ ଶରୀରକୁ । ୨ ।

ବ୍ରହ୍ମାରେ ସୁମରି

 

 

ଶାପ ଫେରାନ୍ତେଣ

ରାଜୀବ ଲୋଚନ ହରଷ ।

ଉଠିଲେ ଲକ୍ଷ୍ମଣ

 

 

ନୟନ ମଳିଣ

ଦର୍ଶନେ ଅଗ୍ରଜ ଆଶ୍ୱସ୍ତ ।

ଲଙ୍କେଶେ,

କହିଲେ ଆଗ୍ରହୀ ଆଶ୍ୱାସ

କି ବର ମାଗୁଛ

 

 

ମାଗ ଦଶାନନ

ମାଗିଲେ ଦେବି ମୁଁ ନିଶ୍ୱାସ ।୩।

ଶୁଣି ବିଁଶପାଣି

 

 

କହେ ଯୋଡ଼ି ପାଣି

ଏ ସନ ନ କହ ଗୋସାଇଁ ।

ତୁ ସିନା ମାୟାରେ

 

 

ଛନ୍ଦି ହେଉ ମୋହେ

ତ୍ରିଲୋକ ଦର୍ଶନ ହରାଇ ।

ଜାଣିଛି

ତୋ ସ୍ଵରୂପ ଜାଣିଛି ମୁହିଁ ।

ତୁ ହି ମୋର ମୋକ୍ଷ

 

 

ସରଣୀର କକ୍ଷ ।

ତୋ ବିନା ଗତି ମୋର ନାହିଁ ।୪।

ଆହେ ରଘୁବୀର

 

 

ସଂସାରର ସାର

ତୁ ଅଟୁ ରାମ ଅବତାର ।

ତ୍ରେତୟା ଯୁଗର

 

 

ଅନ୍ତିମ କାଳର

ତୁ ଅଟୁ ସୂତ ଦଶରଥର ।

ଜନ୍ମିଛୁ

ସଂସାରର ପାପ

 

 

ନାଶିବା ପାଇଁକି

ଧର୍ମ ସଂସ୍ଥାପନା ଅର୍ଥର ।୫ ।

ପିତୃସତ୍ୟ ପାଳି

 

 

ହେଲୁ ବନବାସୀ

ନାଶିଲୁ ଅଧର୍ମୀ ରାକ୍ଷସ ।

ବାଳୀର ଗର୍ବକୁ

 

 

ଖର୍ବକଲୁ ଗଞ୍ଜି

ରକ୍ଷା କଲୁ କେତେ ତାପସ ।

ଜାଣିଛି,

ତୋର ଆବିର୍ଭାବ ରହସ୍ୟ,

ଏକମାତ୍ର ଅଟେ

 

 

ପାପୀଷ୍ଠ ହଟିବେ

ଧର୍ମର ବଢ଼ିବ ବିଶ୍ଵାସ ।୬।

ମୁହିଁ ଯେ ଅଧମ

 

 

ହୋଇ ଯାଇ ମୃଢ଼

ବିଷୟା ରସରେ ବୁଡ଼ିଣ ।

ବସ୍ତୁ ପଛେ ଧାଇଁ

 

 

ବସ୍ତୁକୁ ଗୋଟାଇ

ସୁବର୍ଣ୍ଣ ପୁରୀର ରାବଣ

ହୋଇଛି,

ଶକ୍ତିମାନ ଓ ସର୍ବଗୁଣ ।

ପଦାର୍ଥ ଗୋଟାଇ

 

 

ପଦାର୍ଥ ଲଗାଇ

ଅକ୍ଳେଶେ ଭୋଗିଲି ଜୀବନ ।୭।

ଜୀବନେ ସକଳ

 

 

ପଦାର୍ଥ ଲଭିଣ

ଆସକ୍ତି ମୋ ତୁଟି ସାରିଛି ।

ଯୋଗ ତପ କରି

 

 

ଦେବେ ତୋଷ କରି

ହଜାର ଆୟୁଧ ଲଭିଛି ।

ଦେବଙ୍କୁ

ନିଜ ସେବାରେ ଖଟାଇଛି ।

ଏବେ ସେ ଦୁର୍ଲଭ୍ୟ

 

 

ନାମ ଯାର ମୋକ୍ଷ

ତା କେବଳ ମନ ଲୋଡ଼ୁଛି ।୮।

କଠିନ ଦୁଃସାଧ୍ୟ

 

 

ତପ ଆଚରିଣ

ତୋଷିଲି ଚତୁରାନନଙ୍କୁ ।

ବର ଯାଚନାନ୍ତେ

 

 

ମାଗିଲି ଦେବଙ୍କୁ

ଅଦେୟ ଅମର ବରକୁ ।

ଶ୍ରୀରାମ,

କୁଣ୍ଠିତ ଚିତ୍ତରେ ମୁଣ୍ଡକୁ,

ହଲାଇ ବୋଇଲେ

 

 

ଏତ ଅସମ୍ଭବ

ମାଗ ବତ୍ସ୍ୟ ଅନ୍ୟ ବରକୁ ।୯।

ମାଗିଲି ବିଜ୍ଞାନ

 

 

ଜ୍ଞାନ ସହିତରେ

ଆବର ଲମ୍ବା ଆୟୁଷକୁ ।

ଛପନ ଗଣ୍ଡାର

 

 

ଯୁଗ ମୁଁ ଜିଇଁବି

ଭୋଗିବି ସକଳ ଦ୍ରବ୍ୟକୁ ।

ବିରଂଚି

ଯଥାସ୍ତୁ କଲେ ଏ ବରକୁ,

ଭାବି କହିବାକୁ କି

 

 

ଉପାୟେ ଆମେ

ଚାହୁଁ ମରଣ ବରିବାକୁ ।୧୦।

ବୃଦ୍ଧା ମାତାଙ୍କର

 

 

ସନ୍ତାନ ଅଟେ ମୁଁ

ନାହିଁ ତାଙ୍କର ଆକର୍ଷଣ,

ନୈଷ୍ଠିକ ବ୍ରାହ୍ମଣ

 

 

ବିଶ୍ରବା ସୂତମୁଁ

ଜାଣେ ପାପ ମାତୃ ହରଣ ।

ଏଣୁ ହେ,

ମାଗିଥିଲା ଏହି ରାବଣ,

ହୋଇବ ଯେବେ ବି

 

 

ସମୟ ଆସିବ

ହେବ ମୋ ମରଣ କାରଣ ।୧୧।

ବିଷୟ ବସ୍ତୁରେ

 

 

ବିଷୟା ରସରେ

ମଜ୍ଜି ମୁଁ ବଂଚିଛି ଏ ଯାଏ ।

ସକଳ ପଦାର୍ଥ

 

 

ଅଧିକାର କରି

ସର୍ବାଧିକାରୀ ବୋଲାଏ ।

ଅପ୍ରାପ୍ୟ

ବସ୍ତୁ ପ୍ରସେ ନାହିଁ ଧରା ଏ ।

ପଦାର୍ଥ ବିଜ୍ଞାନ

 

 

ରସାୟନ ସୂତ୍ର

ଜିଜ୍ଞାସା ଜାଗ୍ରତ ନ ହୁଏ ।୧୨।

ସର୍ବ ଉପଯୋଗ

 

 

କରି କରେ ଭୋଗ

ସୁବର୍ଣ୍ଣ ପୁରୀ ମୁଁ ସୃଜିଛି ।

ଅରୁଣ ବରୁଣ

 

 

ବାତ, ଅଗ୍ନି, ଆପ

ଆଦି ଯେତେ ଦେବଅଛନ୍ତି,

ସେବାର୍ଥ,

ନିୟୋଜିତ ମୁଁ କରିଛି

ବିଶ୍ୱ ବ୍ରହ୍ମାଣ୍ଡରେ

 

 

ପ୍ରାପ୍ୟ ହେବା ପାଇଁ

ରହି ନାହିଁ ଆଉ କିଛି ।୧୩।

ଚତୁର୍ଦ୍ଦଶ ଗଣ୍ଡା

 

 

ଯୁଗ ଭବେ ଜିଇଁ

ସାର୍ଥକ କରିଛି ଜୀବନ ।

ଭବ ସଂସାରରେ

 

 

ଆଉ ଜିଇଁବାର

ଆଉ ନାହିଁ ପ୍ରୟୋଜନ ।

ଶ୍ରୀରାମ

କରିବାକୁ ୟାର କାରଣ

ମୋକ୍ଷ ପ୍ରାପ୍ତି ପାଇଁ

 

 

କରିଅଛି ମୁହିଁ

ସୀତା ମାତଙ୍କର ହରଣ ।୧୪।

ବିଶ୍ରବା ନନ୍ଦନ

 

 

ଲଙ୍କେଶ ରାଜନ

ଅଟଇ ମୁଁ ଶ୍ରେଷ୍ଠ ବ୍ରାହ୍ମଣ ।

ଛଳରେ ହରିଣ

 

 

ବନରେ ରଖିଣ

ଅତ୍ୟାଚାରୀ ପଦ ବରଣ ।

କରିଛି,

ଜଗତେ ନିନ୍ଦିତ ହୋଇଣ ।

ସୀତା ମାତାଙ୍କର

 

 

ହରଣ ହେଉ ହେ

ମୋର ମରଣର କାରଣ । ୧୫ ।

ଆହେ ରାମ ଚନ୍ଦ୍ର

 

 

ରଘୁକୁଳ ଇନ୍ଦ୍ର

ଜାଣେ ତୁ ଅଟୁ ନାରାୟଣ ।

ତୋ ହସ୍ତର ବାଣ

 

 

ହେଉ ହେ କାରଣ

ଦଶଶୀର ମୋର କର୍ତ୍ତନ

ଏକୌଚ୍ଛା

ଘଟୁ ମୋର ଦେହାବସାନ ।

ମରଣୋପରାନ୍ତେ

 

 

ତୋ ପାଦ ପଦ୍ମେ

ମିଳୁ କାଣିଚାଏ ସ୍ଥାନ ।୧୬।

ବୈକଣ୍ଡ ରେ ବାରେ

 

 

ତୋ ପାଦ ପଦ୍ମରେ

ଧ୍ୟାନରେ ଲଗାଇ ମନ ।

ଏକ ଲୟେ ରଖି

 

 

ମୋର ମତି ଗତି

ତୋ ସେବାରେ ଯାଉ ଦିନ ।

ବିଷୟା

ଭବ ସାଗରର କଷଣ ।

ହେଉ ବିଷମୟ

 

 

କଟି ଭୟ ହେଉ

ଦୁଷ୍ଟ ଚିନ୍ତା ଅବସାନ ।୧୭।

ନ ଜାଣନ୍ତୁ କେହି

 

 

ଚରାଚର ବାସୀ

ଲକ୍ଷ୍ମଣ ଭସ୍ମ ଆଖ୍ୟାନ

ଆବର ଗୁପତ

 

 

ରହୁ ହେ ସତତ

ଲଙ୍କେଶର ସତୀ ପୂଜନ ।

ଯୁଦ୍ଧରେ

ବଂଶ ନାଶ ମୋର ହେଉ ହେ ।

ତୋର ବାଣେ ମୋର

 

 

ନଶ୍ୱର ଶରୀର

ଭୂତଳେ ଶାୟୀତ ହେଉ ହେ ।୧୮।

କରିଣ ଜଣାଣ

 

 

ବୀର ଲଙ୍କାରାଣ

ଜାନକୀ ବଲ୍ଲଭେ ଚାହିଁଲା ।

କାକୁସ୍ଥ ନୟନେ

 

 

ଯୋଡ଼ି ପାଣି ଯେହ୍ନେ

ପ୍ରିୟତମ ବସ୍ତୁ ମାଗିଲା ।

ରାବଣ,

ହୃଦର ଭାବ ପ୍ରକାଶିଲା ।

ଜ୍ଞାନ ବିଜ୍ଞାନର

 

 

ମୂର୍ତ୍ତୀ ମନ୍ତ ବୀର

ପଙ୍କଜ ମୁଖେ ନିରେଖିଲା । ୧୯ ।

ପଦ୍ମ ମୁଖ ମଧ୍ୟେ

 

 

ସ୍ମୀତ ହାସ୍ୟ ଯେହ୍ନେ

ଶରଦ ଆକାଶେ ଚନ୍ଦ୍ରମା ।

ଅଧିର ବିଧୁର

 

 

ଭାବ ପ୍ରବଣର

ବାଦଲ ହଟିଛି ଏଇନା ।

ଭାବନ୍ତି,

ଏ କି ଗୀର ବୋଲେ ରାବଣ,

ଦୁଷ୍ଟାତ୍ମା ପାପୀଷ୍ଟ

 

 

ବୋଲି ହୁରି ପଡ଼େ

ସଂସାର ବୋଲେ ପାପୀଜନ

ରାଘବ,

କହନ୍ତି ତଥାସ୍ତୁ ବଚନ,

ଶୁଣି ଦଶାନନ

 

 

ହରଷ ହୋଇଣ

ସ୍ତୁତି କରେ ହେ ନାରାୟଣ ।୨୦।

ପୁରୁଷୋତ୍ତମ ହେ

 

 

ଧନ୍ୟ ପୁରଷାର୍ଥ

ଧନ୍ୟ ତବ କୁଳ ଗାରିମା ।

ପ୍ରାଣ ଯାଉ ପଛେ

 

 

ବଚନ ନଯାଉ

ଯେସନେ ଆକାଶେ ଚନ୍ଦ୍ରମା

ଉଜ୍ଜଳ

ରହିଥାଉ କାଳ କାଳକୁ ।

ତବ ହସ୍ତେ ବଦ୍ଧ

 

 

ହୋଇ ଅଙ୍କିଚନ

ନଲଭୁ ପୁନର ଜନ୍ମକୁ ।୨୧।

ଦିଅ ହେ ମେଲାଣି

 

 

ଯାଏ ଶାନ୍ତ ମନେ

ମୋ ନିଳୟ ସ୍ୱର୍ଣ୍ଣଲଙ୍କାକୁ ।

ପାହାନ୍ତିଆ ତାରା

 

 

ଉଙ୍କି ମାରିଲାଣି

ସ୍ୱାଗତ କରିବ ଉଷାକୁ ।

ଶ୍ରୀରାମ

ଉଠାଇ ଦକ୍ଷିଣ ହସ୍ତକୁ,

ସହାସ୍ୟ ବଦନେ

 

 

ବରଦ ମୁଦ୍ରାରେ

ସମ୍ମତି ଦେଲେ ସେ ଯିବାକୁ ।୨୨।

ମେଲାଣି ଘେନିଣ

 

 

ଚଳିଲା ରାବଣ

ହୋର୍ଷୋତ୍‍ଫୁଲ୍ଲିତ ମନେ ।

ଆବର ନାରଦ

 

 

ଚଳିଲେ ବ୍ୟୋମରେ

ନାରାୟଣ ସ୍ମରି ମନେ ।

ଶ୍ରୀରାମ

କୁଟିରୁ ବାହାରି ସଘନେ,

ଦେଖନ୍ତି ଶାୟୀତ

 

 

ପ୍ରିୟଜନ ସର୍ବ

ନିଦ୍ରା ଘାରିଅଛି ନୟନେ ।୨୩।

ଫେରି କୁଟୀରକୁ

 

 

ତୋଳି ଲକ୍ଷ୍ମଣକୁ ।

ଲଗାଇ ଦିଅନ୍ତେ ହିଆରେ ।

ଆଶ୍ୱସ୍ତି ଲଭିଲେ

 

 

ଭ୍ରାତାକୁ ପାଇ ସେ

ସ୍ୱୟଂ ସୁସ୍ଥ ସ୍ଵଶରୀରରେ ।

କହିଲେ,

ଧନ୍ୟ କୁଳଦେବ ରଖିଲେ,

କି ହେଉଣୁ କିସ

 

 

ହୋଇ ଥିଲା ଆଜ

ରବିବର ରକ୍ଷା କରିଲେ ।୨୪।

ପ୍ରାଚୀ ତଟେ ହରି

 

 

ଦଳ ବଳ ଧରି

ଆଗମନେ ହ୍ୟନ୍ତି ଉଦ୍ୟତ ।

ଉଷା ରାଣୀବର

 

 

ସମ୍ଭାଷଣ ଅର୍ଥେ

ତତ୍ପର ହୋଇ ସୁସଜ୍ଜିତ ।

ଶ୍ରୀରାମ

ଘେନିଣ ଅନୁଜର ହସ୍ତ ।

ଶୋଭା ନିହାରନ୍ତେ

 

 

ଉମେଶ କହଇ

ଆଖ୍ୟାନ ହୋଇଲା ସମାପ୍ତ ।୨୫ ।

***